ମହିଳା ଏସିଆ କପ୍ ହକି: ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଓମାନ୍ ରାଜଧାନୀ ମସ୍କଟ୍‌ରେ ହେବାକୁ ଥିବା ମହିଳା ଏସିଆ କପ୍ ହକି ପାଇଁ ହକି ଇଣ୍ଡିଆ ବୁଧବାର ୧୮ ଜଣିଆ ଦଳ ଘୋଷଣା କରିଛି । ଅନୁଭବୀ ଗୋଲ୍‌କିପର୍ ସବିତାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଅଭିଜ୍ଞ ଓଡ଼ିଆ ଖେଳାଳୀ ଦୀପ୍ ଗ୍ରେସ୍ ଏକ୍କାଙ୍କୁ ତାଙ୍କ ଡେପୁଟି ନିଯୁକ୍ତ କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୬ ଜଣ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଛି । ନିୟମିତ ଅଧିନାୟିକା ରାଣୀ ରାମପାଲ୍ ବେଙ୍ଗାଲୁରୁରେ ଚିକିତ୍ସିତ ହେଉଥିବାରୁ ଜାନୁଆରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ସୁଲ୍‌ତାନ୍ କାବୁସ୍ ସ୍ପୋଟ୍ସ କମ୍ପେ୍ଲକ୍ସରେ ତାଙ୍କ ସ୍ଥାନରେ ସବିତାଙ୍କୁ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି ।

ଭାରତକୁ ପୁଲ୍‌-ଏ’ରେ ଜାପାନ, ମାଲେସିଆ ଓ ସିଙ୍ଗାପୁର ସହ ରଖାଯାଇଛି । ମାଲେସିଆ ବିପକ୍ଷରେ ଭାରତ ନିଜର ଟାଇଟଲ୍ ଡିଫେନ୍ସ ଅଭିଯାନ ଇଭେଣ୍ଟ୍‌ର ପ୍ରଥମ ଦିନ ଆରମ୍ଭ କରିବ । ଏହାପରେ ଜାନୁଆରୀ ୨୩ରେ ଜାପାନ ଓ ଜାନୁଆରୀ ୨୪ ତାରିଖରେ ସିଙ୍ଗାପୁରକୁ ଭେଟିବ । ସେମିଫାଇନାଲ୍ ଜାନୁଆରୀ ୨୬ରେ ଏବଂ ଫାଇନାଲ୍ ମ୍ୟାଚ୍ ୨୮ ତାରିଖରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଶୀର୍ଷ ୪ଟି ଦଳ ସ୍ପେନ୍ ଓ ନେଦରଲାଣ୍ଡ୍‌ସରେ ହେବାକୁ ଥିବା ବିଶ୍ୱକପ୍ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଭାରତୀୟ ଦଳର ମୁଖ୍ୟ କୋଚ୍ ୟାନେକ୍ ଶୋପ୍‌ମ୍ୟାନ୍ କହିଛନ୍ତି, ‘ଏହି ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଯେଉଁ ଦଳ ଚୟନ କରିଛୁ ତାକୁ ନେଇ ମୁଁ ଖୁସି । ଅନ୍ତର୍ଜାତୀୟ ସ୍ତରରେ ବହୁ ସମ୍ଭାବନା ସୃଷ୍ଟି କରିଥିବା ଅନୁଭବୀ ଖେଳାଳିଙ୍କ ସହ ପ୍ରତିଭାଶାଳୀ ଯୁବ ଖେଳାଳିଙ୍କ ସମିଶ୍ରଣରେ ଏହି ଦଳ ଗଠିତ ।’ ଦଳରେ ଦୀପିକା (ଜୁନିୟର୍‌) ଓ ଇଶିକା ଚୌଧୁରୀଙ୍କୁ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ଟୁର୍ଣ୍ଣାମେଣ୍ଟ୍‌ର ଗତ ୨୦୧୭ ସଂସ୍କରଣରେ ଭାରତ ୫-୪ ଶୁଟ୍‌ଆଉଟ୍‌ରେ ଚୀନ୍‌କୁ ହରାଇ ଟାଇଟଲ୍ ଜିତିଥିଲା ।

ଭାରତୀୟ ମହିଳା ଦଳ
ଗୋଲ୍‌କିପର୍‌: ସବିତା, ରଜନୀ ଇଟିମାର୍ପୁ । ଡିଫେଣ୍ଡର୍‌: ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ କୌର୍‌, ନିକ୍କି ପ୍ରଧାନ, ଉଦିତା । ମିଡ୍‌ଫିଲ୍ଡର: ନିଶା, ସୁଶିଲା ଚାନୁ, ମୋନିକା, ନେହା, ସଲିମା ଟେଟେ, ଜ୍ୟୋତି, ନଭଜ୍ୟୋତ କୌର୍ । ଫରୱାର୍ଡ: ନଭନୀତ କୌର, ଲାଲ୍‌ରେମ୍‌ସିଆମି, ବନ୍ଦନା କାଟାରିୟା, ମାରିଆନା କୁଜୁରୁ, ଶର୍ମିଳା ଦେବୀ ।