ୱିମେନ୍ସ ସିନିୟର ଟି-୨୦ : ପ୍ରଥମ ମ୍ୟାଚରେ ଓଡ଼ିଶା ପରାସ୍ତ

ନାଗପୁର, ଏଜେନ୍ସି: ଏଠାରେ ମଙ୍ଗଳବାର ଆରମ୍ଭ ହୋଇଛି ୱିମେନ୍ସ ସିନିୟର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଓଡ଼ିଶା ତାହାର ପ୍ରଥମ ମ୍ୟାଚରେ ହରିଆଣାଠାରୁ ୨୩ ରନରେ ହାରିଯାଇଛି। ଏହା ଫଳରେ ଦଳ କୌଣସି ପଏଣ୍ଟ ହାସଲ କରିପାରି ନାହିଁ। ଓଡ଼ିଶା ତାହାର ଦ୍ୱିତୀୟ ମ୍ୟାଚ୍ ବୁଧବାର ଏହିଠାରେ ରେଲୱେ ସହ ଖେଳିବ।
ବିଦର୍ଭ କ୍ରିକେଟ ଆସୋସିଏସନର କାଲମନା କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହରିଆଣା ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୬୯ ରନ୍ କରିଥିଲା। ଦଳ ପକ୍ଷରୁ ୱିକେଟକିପର ଶେଫାଳି ବର୍ମା ସର୍ବାଧିକ ୯୨, ଅଧିନାୟକ ଶିତଳ ରାଣା ଅପରାଜିତ ୩୩ ଓ ସୋନିଆ କ୍ଷତ୍ରୀ ଅପରାଜିତ ୩୦ ରନ୍ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ଅଞ୍ଜଳି ସିଂ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
ଜବାବରେ ଓଡ଼ିଶା ମହିଳା ଦଳ ସମାନ ସଂଖ୍ୟକ ଓଭର ଖେଳି ୬ ୱିକେଟରେ ୧୪୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ପ୍ରଜ୍ଞା ମହାନ୍ତି ସର୍ବାଧିକ ୪୭, ସରିତା ମେହେର ୨୭ ରନ୍ କରିଥିଲେ। ଉଭୟ ଖେଳାଳି ରନ୍ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧୁରୀ ମେହେଟା ୨୧, ଅଞ୍ଜଳି ସିଂ ୧୨, ରାଣୀ ଟୁଡୁ ୧୦³ ଓ ରସନାରା ପରବିନ୍ ୧୩³ ରନ୍ କରିଥିଲେ ମଧ୍ୟ ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ।