ଉପନିର୍ବାଚନ ପୂର୍ବରୁ ହତ୍ୟା : ୩ ଅଭିଯୁକ୍ତ ଗିରଫ

ବରଗଡ଼, ଏନ୍ଏନ୍ଏସ୍ : ଆଉ ୬ ଦିନ ପରେ ବିଜେପୁର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେପୁୁର ରେ ଜଣେ ଯୁବକଙ୍କୁ ହତ୍ୟା କରି ପିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ସ୍ୱଚ୍ଛ ଭାରତ ମିଶନ ବିଜେପୁର ବ୍ଳକ ସଂଯୋଜକ ତରଣୀସେନ ମହଲା (୩୮) ବୋଲି ସୂଚନା ମିଳିଛି । ପୁଲିସ ଏହି ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ବିଜେପୁର ଥାନା ଜାମପାଲି ଗ୍ରାମର ରିକୁ ସାହୁ, ମେଲେଛାମୁଣ୍ଡା ଥାନା ଖଲାବାହାଲ ଗ୍ରାମର ରାମ ମେହେର ଏବଂ ଫକୀର ମେହେର ବୋଲି ପୋଲିସ ସୂଚନା ଦେଇଛନ୍ତି । ସ୍ୱଚ୍ଛଭାରତ ମିଶନ ଯୋଜନାରେ ପାଇଖାନା ଠିକା କାମକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗାଇସିଲେଟ ବ୍ଳକ ନୂଆପାଲି ଗ୍ରାମର ତରଣୀସେନ ମହଲା ବିଜେପୁରରେ ସ୍ୱଚ୍ଛଭାରତ ମିଶନର ସଂଯୋଜକ ଭାବରେ କାର୍ଯ୍ୟ କରୁଥିଲେ । ଗତ ୧୨ ତାରିଖରୁ ତରଣୀ ନିଖୋଜ ହୋଇଯାଇଥିବା ବେଳେ ମଙ୍ଗଲବାର ସକାଳୁ ତାଙ୍କ ମୃତ ଦେହ ବାଉଁଶପୋଲା ଡମ୍ପିୟାର୍ଡରେ ଦେଖିବାକୁ ମିଳିଥିଲା । ମଙ୍ଗଲବାର ସକାଳୁ ବିଜେପୁର ଏନଏସିର କର୍ମଚାରୀମାନେ ଡମ୍ଫିୟାର୍ଡରେ ଆବର୍ଜନା ପକାଇବାକୁ ଯାଇଥିବା ବେଳେ ସେଠାରେ ଏକ ମୃତ ଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ବିଜେପୁର ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହଟି ନିଖୋଜ ତରଣୀଙ୍କ ହୋଇଥିବା ନେଇ ଚିହ୍ନଟ କରିବା ସହ ଏ ନେଇ ତଦନ୍ତ ଆରମ୍ଭ କରିଥିଲା ଏବଂ ଉପରୋକ୍ତ ତିନି ଜଣ ଅଭଯୁକ୍ତଙ୍କୁ ଗିରଫ କରିିବାରେ ସକ୍ଷମ ହୋଇଥିଲା । ଏ ନେଇ ବରଗଡ଼ ଏସପି ପଦ୍ମନୀ ସାହୁ ବିଜେପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।