ଦେବଗଡ଼,ଏନ୍ଏନ୍ଏସ୍: ମହିଳା ଫାଇନାନ୍ସ କର୍ମଚାରୀ ରିତା ସାହୁ ହତ୍ୟା ଘଟଣାରେ ଦେବଗଡ଼ ଥାନା ପୁଲିସ ଆଜି ୨ ଅଭିଯୁକ୍ତ ପ୍ରେମିକ ଅଶ୍ୱିନୀ ଷଣ୍ଢ ଓ ଭଡ଼ାଟିଆ ସୁପାରୀ କିଲର ଶ୍ୟାମ ଖଡ଼ିଆ ଓରଫ ଚେରୁକୁ କୋର୍ଟ ଚାଲାଣ କରିଛି । ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅଶ୍ୱିନୀ ସହ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ପରେ ରିତା ସମ୍ପର୍କ ଛିନ୍ନ କରିବାରୁ ପ୍ରେମରେ ବିଫଳ ହୋଇ ଅଭିଯୁକ୍ତ ହତ୍ୟାକାରୀ ସାଜିଥିବା ଏସପି ଶ୍ରୀ ରଥ ପ୍ରକାଶ କରିଛନ୍ତି । ହତ୍ୟା ପୂର୍ବରୁ ରିତାକୁ ୧୬ ଥର ଛୁରୀ ଭୁସିବା ପରେ ପଥର ଛେଚି ଭଡ଼ାଟିଆ ସୁପାରୀ କିଲର ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଚେରୁ ଏକ ବାଇକ ଚୋରି କରି ଫେରାର ହୋଇଯାଇଥିଲା । ମୃତ ରିତାଙ୍କ ମା’ ମଞ୍ଜୁ ଦେବୀଙ୍କ ରିପୋର୍ଟ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କଲା ପରେ ଉଭୟ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ ଏବଂ ଗତକାଲି ପୁଲିସ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଅନିଲ କୁମାର ବେଉରିଆ, ଆଦର୍ଶ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ଅତିରିକ୍ତ ଥାନାଧିକାରୀ ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।