ପାଟଣାଗଡ଼,ଏନ୍ଏନ୍ଏସ୍: ଆସନ୍ତା ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରସିଦ୍ଧ ହରିଶଙ୍କର ବୈଶାଖୀ ମେଳା ପାଇଁ ଆଜି ହରିଶଙ୍କରସ୍ଥିତ ଟିଆରସି କକ୍ଷରେ ପାଟଣାଗଡ଼ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କିଭଳି ଶାନ୍ତିଶୃଙ୍ଖଳା ସହକାରେ ମେଳା ହେବ ସେନେଇ ଆଲୋଚନା କରି ବିଭିନ୍ନ କମିଟି ଗଠନ କରାଯାଇଥିଲା । ଚଳିତ ବର୍ଷ ମେଳାକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ବାହାରୁ କଳାକାରଙ୍କୁ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହାସହ ଜିଲ୍ଲାର ସମସ୍ତ ବିଧାୟକ ଓ ଏମପିଙ୍କୁ ନିମନ୍ତ୍ରଣ କରି ଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ଲାଗି ବିଧାୟକମାନେ ଆଗାମୀ ବିଧାନସଭାରେ ଉପସ୍ଥାପନ କରିବାରେ ସହାୟକ ହେବ ବୋଲି ମତ ଦେଇଥିଲେ । ପରେ ହରିଶଙ୍କରରେ ଚାଲିଥିବା ମନ୍ଦିରର ଉନ୍ନୟନ କାର୍ଯ୍ୟକୁ ଉପଜିଲ୍ଲାପାଳ ବୁଲି ଦେଖିଥିଲେ । ଶେଷରେ ଅଭୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।