ବିଡିଓଙ୍କ ଗାଡ଼ିକୁ ଅଟକାଇଲେ ମହିଳା

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହିଛି । ଏହାକୁ କେନ୍ଦ୍ର କରି ବ୍ରାହ୍ମଣପାଦ ମହିଳା ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବିଡିଓ ହୃଦୟ ରଞ୍ଜନ ସାହୁଙ୍କ ଗାଡ଼ିକୁ କିଛି ମହିଳା ଅଟକାଇ ଦେଇଥିଲେ । ଏହି ଘଟଣାରେ ବିଡିଓ ଶ୍ରୀ ସାହୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଗାଯୋଗ କରିବା ସହ ରାସ୍ତା ମରାମତି କରିବାକୁ ଅବଗତ କରିଥିଲେ । ଆଗାମୀ ୧୫ ଦିନ ଭିତରେ ଟେଣ୍ଡର ବାହାରିବା ସହ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ବିଡିଓଙ୍କ ଗାଡ଼ିକୁ ଛାଡ଼ିଥିବା ଜଣାପଡ଼ିଛି । ଚକାପାଦରୁ ଅଚ୍ଛାଙ୍ଗି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାୟ ୧୨ କିମି ରାସ୍ତା ରହିଥିବାବେଳେ ଏହାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି । ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିବା ପରେ ଚକାପାଦଠାରୁ ବ୍ରାହ୍ମଣପାଦ ସ୍ୱାସ୍ଥ୍ୟକେନ୍ଦ୍ର ଯାଏଁ ମାତ୍ର ୩ କିମି ରାସ୍ତା ମରାମତି କରାଯିବା ପରେ ଆଉ ଆଗକୁ ମରାମତି ହୋଇନାହିଁ । ଫଳରେ ଗ୍ରାମର ଲକ୍ଷ୍ମୀ ପୃଷ୍ଟି, ଦମୟନ୍ତୀ ବେହେରା, ରିତାଞ୍ଜଳି ବେହେରା, ସୁଷମା ସାହୁ, ରମେଶ ସାହୁ ଓ ହିମାଞ୍ଚଳ ସାହୁ ବିଡିଓଙ୍କୁ ପୁଣି ଅବଗତ କରାଇଥିଲେ । ଏହି ଘଟଣା ପରେ ବିଡ଼ିଓ ଗ୍ରାମର ଅନ୍ୟ ସମସ୍ୟା ସମେତ ମାଁ ପିତାବଳି ମନ୍ଦିର, ଗ୍ରାମ୍ୟ ପୋଖରୀ ଓ ବିରୁପାକ୍ଷ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହାସହ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ହେମକେଶ ମଳିକ ଓ ବ୍ଲକ୍ ଉପାଧ୍ୟକ୍ଷ ସୋମନାଥ ବେହେରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।