ଚଣ୍ଡିଗଡ଼,ଏଜେନ୍ସି: ଚଣ୍ଡିଗଡ଼ରେ ପ୍ରିୟଙ୍କା ନାମକ ଜଣେ ମହିଳା ଟ୍ରାଫିକ ପୁଲିସ କନଷ୍ଟେବଳ ଡ୍ୟୁଟି ବେଳେ ତାଙ୍କ ନବଜାତ ଶିଶୁକୁ କାନ୍ଧରେ ପକାଇଥିବା ଦୃଶ୍ୟ ଭାଇରାଲ ହେବା ପରେ ତାଙ୍କୁ ଏବେ ବିଭାଗୀୟ ନୋଟିସ ଜାରି କରାଯାଇଛି। ସେ ଡ୍ୟୁଟି ବେଳେ କାହିଁକି ଏମିତି କରିଥିଲେ ଏବଂ ସେହିଦିନ ୪ ଘଣ୍ଟା ବିଳମ୍ବରେ କାହିଁକି ଡ୍ୟୁଟିରେ ପହଞ୍ଚିଥିଲେ ସେନେଇ କୈଫୟତ ମଗାଯାଇଛି। ଏହି ଭିଡିଓଟି ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୁଟିଂ କରାଯାଇଥିିବା ବେଳେ ପ୍ରିୟଙ୍କା ଡ୍ୟୁଟି ବେଳେ ତାଙ୍କ ନବଜାତ ଶିଶୁକୁ କାନ୍ଧରେ ପକାଇଥିବା ଅନ୍ୟ ଜଣେ ମହିଳା ଟ୍ରାଫିକ କନଷ୍ଟେବଳ କହିଛନ୍ତି। ସେହିପରି ସେ ଶୁକ୍ରବାର ପ୍ରାୟ ୪ ଘଣ୍ଟା ବିଳମ୍ବରେ ଡ୍ୟୁଟିରେ ପହଞ୍ଚିଥିଲେ, ଯାହାକୁ ନେଇ ତାଙ୍କ ପୁଲିସ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପ୍ରିୟଙ୍କା ସେହିଦନ ସକାଳ ୮ଟାରେ କାର୍ଯ୍ୟସ୍ଥଳରେ ପହଞ୍ଚିବାର ଥିଲା କିନ୍ତୁ ସେ ତିନି ଘଣ୍ଟା ବିଳମ୍ବ ଅର୍ଥାତ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ। ଯଦି ସେ କାର୍ଯ୍ୟ କରିବା ଲାଗି ଅକ୍ଷମ, ତେବେ ଛୁଟି ନେଇପାରନ୍ତି ବୋଲି କୁହାଯାଇଥିଲା କିନ୍ତୁ ସେ ତାହା ନକରି ନିଜ ଶିଶୁକୁ ନେଇ ଟ୍ରାଫିକ ପରିଚାଳନା କରିଥିଲେ। ଏନେଇ ପ୍ରିୟଙ୍କାଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କ ଶିଶୁ ଅତିଛୋଟ ଏବଂ ତା ବିନା ସେ ରହିପାରେନି। ତେଣୁ ଶୁକ୍ରବାର ସେ ଯେତେବେଳେ କାନ୍ଦିଥିଲା ସେତେବେଳେ ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟ ଶିଶୁକୁ ନେଇ ପ୍ରିୟଙ୍କାଙ୍କ କାର୍ଯ୍ୟସ୍ଥଳକୁ ଆଣିଥିଲେ ଏବଂ ପ୍ରିୟଙ୍କା ତାକୁ କାନ୍ଧରେ ପକାଇ ଡ୍ୟୁଟି କରିଥିଲେ। ତେବେ ଶିଶୁଟିର କାନ୍ଦବନ୍ଦ ହେବା ପରେ ସେ ପୁନର୍ବାର ତାକୁ ପରିବାର ସଦସ୍ୟଙ୍କୁ ଦେଇଥିଲେ ବୋଲି କହିଛନ୍ତି।