ମୋଦୀ ମିଛ କହି ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି: ମମତା

ସିଲଗୁଡ଼ି, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲାକାତାରେ ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲା ବେଳେ ଏହାର ପାଲଟା ଜବାବ ଦେଇଛନ୍ତି ମମତା। ସେ କହିଛନ୍ତି, ମୋଦୀ ମିଛ କହି ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି। ବିଜେପି ଟଙ୍କା ଦେଇ ଭୋଟ କିଣିବାକୁ ଚାହୁଁଛି। ତେଣୁ ଭୋଟର ମାନେ ବିଜେପି ଠାରୁ ଟଙ୍କା ନେଇ ଟିଏମସିକୁ ଭୋଟ ଦିଅନ୍ତୁ ବୋଲି ମମତା ସିଲିଗୁଡିରେ ଆୟୋଜିତ ଏକ ରାଲିରେ କହିଛନ୍ତି। ରବିବାର ମମତା, ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସିଲିଗୁଡିରେ ଆୟୋଜିତ ପଦଯାତ୍ରାରେ ଭାଗନେଇ କହିଛନ୍ତି, ମା’ ଓ ଭଉଣୀ ମାନଙ୍କର ରୋଷେଇଶାଳକୁ ପୋଡିବାକୁ ଚେଷ୍ଟା କରନାହିଁ। ସେଭଳି ହେଲେ ସେମାନେ ତୁମକୁ ଜାଳିଦେବେ। ଏଲ୍ପିଜି ସିଲିଣ୍ଡରର କାର୍ଡବୋର୍ଡ ପ୍ରତିରୂପ ହାତରେ ଧରି ପଦଯାତ୍ରା କଲାବେଳେ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଦଳୀୟ ସାଂସଦ ମିମି ଚକ୍ରବର୍ତ୍ତୀ ଓ ନୁସରତ ଜାହାଁନ ଆଗଧାଡିରେ ଥିଲେ।