ପଶ୍ଚିମବଙ୍ଗରେ ଅସଲ ପରିବର୍ତ୍ତନର ସମୟ ଆସିଛି : ମୋଦୀ

କୋଲକାତା, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୋଲକାତାର ଐତିହାସିକ ବ୍ରିଗେଡ ଗ୍ରାଉଣ୍ଡରେ ମେଗା ରାଲି କରି ତୃଣମୂଳ କଂଗ୍ରେସ(ଟିମଏସି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଟିଏମସିର ଲୋକପ୍ରିୟ ସ୍ଲୋଗାନ ଖେଲା ହବେର ପାଲଟା ଜବାବ ଦେଇ ମୋଦୀ କହିଛନ୍ତି, ଖେଲ୍ ଖତମ୍, ବିକାଶ ସୁରୁ। ପଶ୍ଚିମବଙ୍ଗରେ ଅସଲ ପରିବର୍ତ୍ତନର ସମୟ ଆସିଛି। ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବାପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଭାରତ ମାତାଙ୍କ ଆଶୀର୍ବାଦରେ ପଶ୍ଚିମବଙ୍ଗ ସୁନାର୍ ବାଙ୍ଗ୍ଲାରେ ପରିଣତ ହେବ। ରାଜ୍ୟରେ ପରିବର୍ତ୍ତନ ଆସିବାରେ ସ୍ୱପ୍ନ ଦେଖି ରାଜ୍ୟବାସୀ ଦିଦିଙ୍କ ଉପରେ ଆସ୍ଥା ସ୍ଥାପନ କରି ତାଙ୍କୁ କ୍ଷମତାକୁ ଆଣିଥିଲେ। କିନ୍ତୁ ଦିଦି ଓ ତାଙ୍କର ଦଳୀୟ କର୍ମୀ ମାନେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ଚୁର୍ମାର୍ କରିଛନ୍ତି। ରାଲିରେ ବିଶାଳ ଜନସମାବେଶକୁ ଲକ୍ଷ୍ୟ କରି ମୋଦୀ କହିଲେ, ଆମକୁ ଆଶିର୍ବାଦ ଦେବା ପାଇଁ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସିଛନ୍ତି। ସମସ୍ତ ବୁଦ୍ଧିଜୀବୀ ଓ ଶିଳ୍ପୀ ଆମ ସହିତ ରହିଛନ୍ତି। ସମସ୍ତେ ଭାବୁଛନ୍ତି ଯେ, ବେଙ୍ଗଲରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି, ଆମେ ବେଙ୍ଗଲର ପୁନଃନିର୍ମାଣ କରିବୁ। ବାମପନ୍ଥୀଙ୍କ ସହ କଂଗ୍ରେସ ମେଣ୍ଟ କରିଥିବାରୁ ଏହାକୁ ସମାଲୋଚନା କରି ମୋଦୀ କହିଲେ ଟିଏମ୍ସି ଓ ବାମପନ୍ଥୀଙ୍କ ମେଣ୍ଟ ଗୋଟିଏ ପଟେ ହେଲା ବେଳେ ଅନ୍ୟପଟେ ବେଙ୍ଗଲର ଜନସାଧାରଣ ରହିଛନ୍ତି। ଦେଶ ସ୍ୱାଧୀନ ହେବାପରେ କଂଗ୍ରେସ କ୍ଷମତାକୁ ଆସି ଭୋଟ ବ୍ୟାଙ୍କ ରାଜନୀତି କରି ବେଙ୍ଗଲକୁ ନଷ୍ଟ କରିଦେଇଛି। ବାମପନ୍ଥୀ ଓ ଟିଏମସି ରାଜ୍ୟର ପରିସ୍ଥିତିକୁ ଅଧିକ ବିଗାଡି ଦେଇଛନ୍ତି। କଂଗ୍ରେସ ସହ ମେଣ୍ଟ କରିବା ନେଇ ବାମପନ୍ଥୀ ଦଳ ଗୁଡିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ(ବାମପନ୍ଥୀ) ବାରମ୍ବାର ସ୍ଲୋଗାନ ଦେଉଥିଲେ କଂଗ୍ରେସେର୍ କାଲୋ ହାଥ୍ ଭେଙ୍ଗେଦାଓ,ଗୁରିୟେ ଦାଓ( କଂଗ୍ରେସର କଳାହାତ ଭାଙ୍ଗିଦିଅ)କିନ୍ତୁ ସେହି କଳାହାତ ଏବେ ଧଳା ହୋଇଯାଇଛି ଏବଂ ବାମପନ୍ଥୀ ମାନେ ଦେଶର ପ୍ରାଚୀନ ଦଳ ସହ ମେଣ୍ଟ କରିଛନ୍ତି।

ରାଜ୍ୟରେ ଶ୍ରମିକ ଓ କୃଷକଙ୍କ ଜୀବନ ଧାରଣରେ ଉନ୍ନତି ଘଟିଲେ ପ୍ରକୃତ ପରିବର୍ତ୍ତନ ଆସିବ। ରାଜ୍ୟର ଜନସାଧାରଣଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ। ମମତା ବାନାର୍ଜୀଙ୍କ ସରକାର ସମ୍ପର୍କରେ ମୋଦୀ କହିଲେ, ଏହି ସରକାରରେ କେବଳ ଦୁର୍ନୀତି ଓ ସିଣ୍ଡିକେଟ ରାଜ୍ ଚାଲିଛି। ଲୋକତନ୍ତ୍ର ଉଭେଇ ଯାଇଛି, ଲୁଟ୍ତନ୍ତ୍ର ବଢ଼ିଛି। କେନ୍ଦ୍ରୀୟ ଯୋଜନାର ଗୁଡିକର ସୁଫଳ ରାଜ୍ୟବାସୀ ପାଇପାରୁନାହାନ୍ତି। ନନ୍ଦିଗ୍ରାମ ଆସନରୁ ଲଢ଼ିବା ପାଇଁ ମମତାଙ୍କ ନିଷ୍ପତ୍ତି ସମ୍ପର୍କରେ ମନ୍ତବ୍ୟ ଦେଇ ମୋଦୀ କହିଲେ, ଆପଣଙ୍କ ସ୍କୁଟି ଭବାନୀପୁର ନଯାଇ ନନ୍ଦିଗ୍ରାମ ମୁହାଁ ହେବାରୁ ଓଲଟିପଡ଼ିଲା। ଦିଦି ମୁଁ ଆଶାକରୁଛି ସମସ୍ତେ ଭଲରେ ଥାଆନ୍ତୁ କାହାରିକୁ ଆଘାତ ନଲାଗୁ। କିନ୍ତୁ ନନ୍ଦିଗ୍ରାମରେ ସ୍କୁଟି ପଡ଼ିଯିବା ବିଧି ନିର୍ଦ୍ଦେଶ ଥିବାରୁ ମୁଁ ଏଥିରେ ଅବା କଣ କରିପାରିବି। ମମତାଙ୍କୁ ଆହୁରି ସମାଲୋଚନା କରି ମୋଦୀ କହିଲେ, ବେଙ୍ଗଲର ଜନସାଧାରଣ ସେମାନଙ୍କ ଦିଦିଙ୍କୁ ବାଛିଲେ କିନ୍ତୁ ସେ ରାଜ୍ୟବାସୀଙ୍କ ଦିଦି ନହୋଇ ଜଣେ ପୁତୁରାର ପିଉସୀ ହେବାକୁ ଚାହିଁଲେ। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ଉଲ୍ଲେଖ ନକରି ମୋଦୀ ଏଭଳି ମନ୍ତବ୍ୟ ଦେଇଥିଲେ।