ରାଜ୍ୟରେ ପୁଣି ୧୭୫ ନୂଆ କରୋନା ପଜିଟିଭ: ସଂଖ୍ୟା ୪,୩୩୮କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୧୭୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୭୫ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭, ଖୋର୍ଦ୍ଧାରୁ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳ ଓ ଜଗତସିଂହପୁରରୁ ୭, ବାଲେଶ୍ୱରରୁ ୬, ସୁନ୍ଦରଗଡ଼ ଓ ମୟୁରଭଞ୍ଜରୁ ୫, ନୂଆପଡ଼ାରୁ ୪, ବଲାଙ୍ଗିର ଓ କଟକରୁ ୩, ଗଞ୍ଜାମ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ଏନଡିଆରଏଫ, ଅଡ୍ରାଫ ଓ ଅଗ୍ନିଶମ ବିଭାଗର ୨୧ ଜଣ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୪୫ଟି କ୍ୱାରେଣ୍ଟାଇନ ଓ ୩୦ଟି ସ୍ଥାନୀୟ ମାମଲା ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮କୁ ବୃଦ୍ଧି ପାଇଥିବାବେଳେ ୨,୯୭୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୫୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।