ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ, ଏଜେନ୍ସି: ଆଫ୍ରିକୀୟ ରାଷ୍ଟ୍ର ମାଲିର ଜଣେ ମହିଳା ଏକାଥରକେ ୯ଟି ସନ୍ତାନଙ୍କୁ ଜନ୍ମ ଦେଇ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହାଲିମା ନାମ୍ନୀ ଏହି ୨୫ ବର୍ଷୀୟା ଗର୍ଭବତୀ ମହିଳାଙ୍କର ଗତ ମାର୍ଚ୍ଚରେ ଅଲଟ୍ରାସାଉଣ୍ଡ କରାଯାଇଥିବାବେଳେ ଗର୍ଭାଶୟରେ ୭ଟି ସନ୍ତାନ ରହିଥିବା ଡାକ୍ତରମାନେ ରିପୋର୍ଟ ଦେଇଥିଲେ। ଏତେସଂଖ୍ୟକ ସନ୍ତାନଙ୍କୁ ପ୍ରସବ କରାଇବାରେ କାଳେ ଅସୁବିଧା ହେବ, ସେଥିପାଇଁ ହାଲିମାଙ୍କୁ ବିମାନ ଯୋଗେ ମରୋକ୍କୋ ନିଆଯାଇ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ହାଲିମା ୯ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ମଧ୍ୟରେ ୫ଟି ଝିଅ ଓ ୪ ଜଣ ପୁଅ ରହିଛନ୍ତି। ମାଆ ସମେତ ସବୁ ଶିଶୁ ସୁସ୍ଥ ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଏଭଳି ବିରଳ ଘଟଣାରେ ମାଲି ସ୍ୱାସ୍ଥ୍ୟମନ୍ତ୍ରୀ ଫାନ୍ତା ସିବି ହାଲିମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଇତିପୂର୍ବରୁ ଆମେରିକୀୟ ମହିଳା ନାଦିଆ ସୁଲିମାନ୍ ୨୦୦୯ ଜାନୁଆରୀରେ ଏକାଥରକେ ୮ଟି ସନ୍ତାନକୁ ଜନ୍ମଦେଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ।