ନୂଆଦିଲ୍ଲୀ, ଏଜେନ୍ସି: ରାଜଧାନୀ ଦିଲ୍ଲୀରେ କରୋନାର ଭୟାବହତା ଜାରି ରହିଛି। ମହାମାରୀର ପ୍ରକୋପ ଏତେ ମାତ୍ରାରେ ବଢି ଯାଇଛି ଯେ, ସାଧାରଣ ଜନତାଙ୍କ ଠାରୁ ବଡ଼ ବଡ଼ ଅଧିକାରୀ ମାନେ ମଧ୍ୟ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ ଥିବା ଜଣେ ଏନଏସଜି ଗ୍ରୁପର କମାଣ୍ଡରଙ୍କର କରୋନାରେ ମୃତ୍ୟୁ ହୋଇଛି। ତାଙ୍କୁ ଠିକ୍ ସମୟରେ ଆଇସିୟୁ ବେଡ ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଏନଏସଜିର ଗ୍ରୁପ କମାଣ୍ଡର ବୀରେନ୍ଦ୍ର କୁମାର ଝା କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଥିବାବେଳେ ତାଙ୍କୁ ଦିଲ୍ଲୀରେ ତୁରନ୍ତ ଆଇସିୟୁ ବେଡ୍ ନମିଳିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ, କରୋନା ସଂକ୍ରମିତ ହେବାପରେ ବୀରେନ୍ଦ୍ର କୁମାର ଝା ଏପ୍ରିଲ ୨୨ରେ ଅର୍ଦ୍ଧସାମରିକ ବଳର ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିଲା। ମାତ୍ର ମେ ୪ ତାରିଖ ସନ୍ଧ୍ୟା ୬ଟାରେ ଅଚାନକ ବୀରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ବିଗିଡିଥିଲା, ଏଥିରେ ତାଙ୍କର ଅକ୍ସିଜେନ ସ୍ତର ହ୍ରାସ ପାଇବାରେ ଲାଗିଥିଲା। ବୀରେନ୍ଦ୍ର କୁମାରଙ୍କୁ ନୋଏଡାର ରେଫରାଲ ହସ୍ପିଟାଲରେ ଆଇସିୟୁ ଖାଲି ନଥିବା କାରଣରୁ ଅନ୍ୟ ହସ୍ପିଟାଲ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା। ଏହାପରେ ଦିଲ୍ଲୀର ଅନ୍ୟଏକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଯଥା ସମୟରେ ଆଇସିୟୁ ବେଡ୍ ମିଳିନଥିଲା। ସେଠାରୁ ପୁଣି ଏସ୍କର୍ଟ ଫର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ, ହସ୍ପିଟାଲରେ ପହଞ୍ଚିବା ବେଳକୁ କମାଣ୍ଡରଙ୍କ ମୃତ୍ୟୁ ଘଟି ସାରିଥିଲା।