କୁଆଁପାଳ,ଏନ୍ଏନ୍ଏସ୍: ଆଜି ସକାଳେ ମାହାଙ୍ଗା ଥାନା ଅନ୍ତର୍ଗତ କଉଡକୋଲ ଯଜ୍ଞ ପଡିଆଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନି ବାଇକ ଆରୋହୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ ପାରାଦୀପ-ଦୈତାରୀ ୫ ନମ୍ବର(କ) ଜାତୀୟ ରାଜପଥର କଉଡକୋଲଠାରେ ଓଡି-୦୪ କେ-୩୬୪୬ ନମ୍ବର ବିଶିଷ୍ଟ ଏକ ଟ୍ରକ ଦ୍ରୁତଗତିରେ ଆସୁଥିବା ବେଳେ ଏକ ବାଇକ ଉପରେ ଚଢ଼ି ଯାଇଥିଲା। ବାଇକରେ ଉକ୍ତ ଅଞ୍ଚଳର ଘନଶ୍ୟାମ ମଲିକଙ୍କ ପୁତ୍ର କାବୁଲା ମଳିକ (୨୬), କୁନ୍ଦଳ ଗ୍ରାମର ଶଙ୍କର ଜେନା(୧୮) ଓ ଖଗେଶ୍ୱର ଜେନାଙ୍କ ପୁତ୍ର ପ୍ରେମାନନ୍ଦ ଜେନା(୧୯) ଯାଉଥିଲେ।
ଘଟଣାସ୍ଥଳରୁ ତିନି ଜଣଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ମାହାଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।