ତିନି ଶିଶୁଙ୍କୁ ମାଆ ଛେଉଣ୍ଡ କଲା ସାପ

ମାଲକାନଗିରି,ଏନ୍ଏନ୍ଏସ୍: ତିନି ଜଣ ଶିଶୁଙ୍କୁ ମାଆ ଛେଉଣ୍ଡ କଲା ସାପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାୟତର ତଗୁରପୋଟା ଗ୍ରାମରେ। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ଏକ ବିଶାକ୍ତ ସାପ କାମୁଡି ଦେବାରୁ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ସମେ କୁରା। ତାଙ୍କର ଏକ ୧୦ଦିନର ଶିଶୁ ସହ ଆଉ ଦୁଇ ପିଲା ମଧ୍ୟ ଅଛନ୍ତି। ପତ୍ନୀଙ୍କୁ ହରାଇବା ପରେ ୩ ଶିଶୁଙ୍କୁ କିପରି ପାଳିବେ ସେନେଇ ଚିନ୍ତାରେ ସ୍ୱାମୀ କୁରା ମୁତା। ସେହିପରି କିଛିଦିନ ତଳେ ମାଲାଭରମ ପଞ୍ଚାୟତର ପଡ଼ିଆମିଗୁଡ଼ାରେ ସାପ କାମୁଡାରେ ଏକ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା।