କ୍ୱାରେଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଗାଙ୍ଗେଶ୍ୱରୀ ମହାବିଦ୍ୟାଳୟ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ବୁଧବାର ସକାଳେ ଜଣେ ମହିଳାଙ୍କର ଅସ୍ୱାଭାବିକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ପଟ୍ଟାଙ୍ଗି ବ୍ଲକ୍ ନୂଆଗାଁ ପଂଚାୟତ କର୍ତାଲମାଉଡ଼ି ଗ୍ରାମର ଦେଓ ଖରା(୩୫) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ମୃତ ମହିଳା ଓ ତାଙ୍କ ସ୍ୱାମୀ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲାସ୍ଥିତ ସାଲୁରରେ ଏକ କଦଳୀ ବଗିଚାରେ କାମ କରୁଥିଲେ। ୪ଦିନ ପୂର୍ବରୁ ସେମାନେ ନିଜ ଗାଁକୁ ଫେରିଥିଲେ। ଗ୍ରାମବାସୀ ପ୍ରତିବାଦ କରି କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରିବାରୁ ଦେଓ ଖରା, ତାଙ୍କ ସ୍ୱାମୀ ଓ ତିନି ଛୁଆଙ୍କୁ ବ୍ଲକ୍ ପ୍ରଶାସନ ଗାଁରୁ ଆଣି ମଙ୍ଗଳବାର ଦିନ ପଟ୍ଟାଙ୍ଗି କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖିଥିଲେ। ଆଜି ସକାଳେ ଉକ୍ତ ମହିଳା ଜଣଙ୍କ ନିତ୍ୟକର୍ମ ସାରି ଚାହା ପିଇବା ପରେ ବିଶ୍ରାମ ନେଉଥିଲେ। କିଛି ସମୟ ଯାଏ ସେ ନଉଠିବାରୁ ସ୍ୱାମୀ ଉଠାଇବାକୁ ଯାଇଥିଲେ ହେଲେ ତାଙ୍କର ଚେତା ନଫେରିବାରୁ ପଟ୍ଟାଙ୍ଗି ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପଟ୍ଟାଙ୍ଗି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ସ୍ୱାବ୍ ଟେଷ୍ଟିଂ ନିମନ୍ତେ ପଠାଯାଇଛି, ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପଟ୍ଟାଙ୍ଗି ଥାନାଧିକାରୀ ବିଜୟ ରାଜ୍ ମାଝୀ ସୂଚନା ଦେଇଛନ୍ତି।