ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ତେବେ ଏହି ଅଧିବେଶନରେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ପାଇଁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହା ୨୦୧୯ର ଶେଷ ଅଧିବେଶନ ହୋଇଥିବାବେଳେ ଆଜି ଏହି ଶୀତକାଳୀନ ଅଧିବେଶନରେ ମୁଖ୍ୟ ବିଷୟ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ସେହିପରି ଏହି ଅଧିବେଶନ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସଭାର ଐତିହାସିକ ଅଧିବେଶନ ଉପଲକ୍ଷେ ରବିବାର ଦିନ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ରାଜ୍ୟସଭାର ପ୍ରଥମ ଅଧିବେଶନ ମେ ୧୯୫୨ରୁ ଆରମ୍ଭ କରି ଏଯାବତ୍ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପହଞ୍ଚି ଏହି ଅଧିବେଶନାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ ହୋଇଥିବା ବେଳେ ଚଳିତ ବର୍ଷ ୨୬ତାରିଖରେ ୭୦ତମ ସମ୍ବିଧାନ ଦିବସ ପୂର୍ଣ୍ଣ ହେଉଛି ବୋଲି କହିଥିଲେ।
