ଆଜି ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍ ବୋବଡେ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ୪୭ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେ ସୋମବାର ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି। ସକାଳ ୯ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ବୋବଡେଙ୍କୁ ଶପଥ ପାଠ କରାଇଛନ୍ତି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଗାମୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ବୋବଡେଙ୍କ ନାମ ସୁପାରିଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ବୋବଡେ ଆସନ୍ତା ୨୦୨୧ ଅପ୍ରେଲ ୨୩ ପର୍ଯ୍ୟନ୍ତ ୧୭ମାସ ପାଇଁ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ।

ତେବେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖ ଦିନ ନାଗପୁରରେ ଜନ୍ମିତ ଜଷ୍ଟିସ୍‌ ବୋବ୍‌ଡେ ସ୍ନାତକ ଶେଷ କରି ନାଗପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରି ହାସଲ କରିଥିଲେ। ୧୯୭୮ ମସିହାରେ ସେ ମହାରାଷ୍ଟ୍ର ବାର୍‌ କାଉନ୍‌ସିଲ୍‌ର ରୋଲ୍‌ରେ ଏନ୍‌ରୋଲ୍‌ ହୋଇ ୧୯୯୮ରେ ବରିଷ୍ଠ ଆଡ୍‌ଭୋକେଟ୍‌ ମାନ୍ୟତା ପାଇଥିଲେ।

୨୦୦୦ ମସିହା ମାର୍ଚ ୨୯ ତାରିଖଦରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ସେ ବିଚାରପତି ଭାବେ କାମ ଆରମ୍ଭ କରିଥିଲେ। ୨୦୧୨ ମସିହା ଅକ୍ଟୋବର ୧୬ ତାରିଖ ଦିନ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ।

୨୦୧୩ ମସିହା ଏପ୍ରିଲ୍‌ ୧୨ ତାରିଖ ଦିନ ସେ ସୁପ୍ରିମ୍‌ କୋର୍ଟର ବିଚାରପତି ପାହ୍ୟାକୁ ଉନ୍ନିତ ହୋଇଥିଲେ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଶୁଣାଇଥିବା ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠରେ ମଧ୍ୟ ସେ ଅନ୍ତର୍ଭୁକ୍ତ ହୋଇଥିଲେ।