ମାଧୁରୀ (ମହାଦେବୀ) ସମ୍ପର୍କରେ ବନ୍ତାରାର ସ୍ପଷ୍ଟୀକରଣ
କୋହ୍ଲାପୁରରେ ମହାଦେବୀ ନାମରେ ଜଣାଶୁଣା ଓ ସ୍ନେହଶ୍ରଦ୍ଧା ପାଉଥିବା ମାଧୁରୀ (ମାଈ ହାତୀ), ହାଇ-ପାୱାର୍ଡ କମିଟି (ଏଚ୍ପିସି)ର ନିର୍ଦ୍ଦେଶକ୍ରମେ ୩୦ ଜୁଲାଇ ୨୦୨୫ରେ ଜାମନଗରସ୍ଥିତ ବନ୍ତାରାକୁ ଆସିଥିଲା, ଯାହାକୁ ବମ୍ବେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ କାଏମ ରଖିଥିଲେ। ବନତାରା ପକ୍ଷରୁ ମାଧୁରୀ’ର ହେପାଜତ କଦାପି ମଗାଯାଇନଥିଲା। ଏଚ୍ପିସିଙ୍କ ନିର୍ଦ୍ଦେଶକ୍ରମେ ବନ୍ତାରା ଏହାକୁ ଗ୍ରହଣ କରିଥିଲା ଏବଂ ମାଧୁରୀର ସର୍ବୋତ୍ତମ ସେବା ଯତ୍ନ ନେଇଥିଲା। କୋହ୍ଲାପୁରରେ ମାଧୁରୀକୁ ନେଇ ରହିଥିବା ଗଭୀର ଆବେଗକୁ ବନ୍ତାରା ସମ୍ପୂର୍ଣ୍ଣ ରୂପେ ବୁଝିପାରୁଛି। ମହାରାଷ୍ଟ୍ର ସରକାର, ଏହାର ଅଧିକାରୀ, ଅଂଶୀଦାର ଏବଂ ସମାଜର ସଦସ୍ୟମାନଙ୍କ ସହ ଆଲୋଚନା ପରେ, ବନ୍ତାରା ୬ ଅଗଷ୍ଟ ୨୦୨୫ରେ ସ୍ପଷ୍ଟ କରିଥିଲା ଯେ ଏହା ସେହି ଆବେଗକୁ ସମ୍ମାନ ଜଣାଏ ଏବଂ ସକ୍ଷମ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀକୁ ମାନି ଚାଲିବ। ସୁପ୍ରିମକୋର୍ଟ ପରବର୍ତ୍ତୀ ସମୟରେ ପକ୍ଷମାନଙ୍କୁ ସେମାନଙ୍କର ଦାବି ଏଚ୍ପିସି ସମ୍ମୁଖରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପକ୍ଷଙ୍କ ଶୁଣାଣି କରିବା, ରିପୋର୍ଟ ମଗାଇବା ଏବଂ ନନ୍ଦନୀ ସ୍ଥିତ ସୁବିଧାର ଯାଞ୍ଚ କରିବା ପରେ, ଏଚ୍ପିସି ୯ ସେପ୍ଟେମ୍ବର ୨୦୨୬ରେ କେତେକ କଡ଼ା ସର୍ତ୍ତ ଆଧାରରେ ମାଧୁରୀକୁ କୋହ୍ଲାପୁର ଫେରିବା ପାଇଁ ଅନୁମତି ଦେଇ ଏକ କାରଣସମ୍ବଳିତ ଆଦେଶ ପାରିତ କରିଛନ୍ତି। ଏହି ସର୍ତ୍ତଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଯେ, ତାକୁ କୌଣସି ଶୋଭାଯାତ୍ରା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ, ତାକୁ ୨୪ ଘଣ୍ଟିଆ ଯତ୍ନ ଯୋଗାଇ ଦିଆଯିବ ଏବଂ ପ୍ରତି ପକ୍ଷରେ (୧୫ ଦିନରେ) ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ବନ୍ତାରା ଏଚ୍ପିସି କର୍ତ୍ତୃତ୍ୱକୁ ସମ୍ମାନ କରେ ଏବଂ ଏହାର ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବା ନେଇ ପ୍ରତିଶ୍ରୁତିବଦ୍ଧ।
ମାଧୁରୀ ସମ୍ପର୍କରେ ବନ୍ତାରା’ର ଆଭିମୁଖ୍ୟ ସଦାସର୍ବଦା ପଶୁ ଚିକିତ୍ସା ବିଜ୍ଞାନ ଏବଂ ତା’ର କଲ୍ୟାଣ ଦ୍ୱାରା ପରିଚାଳିତ ହୋଇଆସିଛି। ନିରନ୍ତର ପଶୁ ଚିକିତ୍ସା ସେବା ମାଧ୍ୟମରେ ମାଧୁରୀର ଅବସ୍ଥା ସ୍ଥିର ହୋଇଛି, କିନ୍ତୁ ତା’ର ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତାକୁ ଆବଶ୍ୟକୀୟ ଯତ୍ନ, ସହାୟକ ପରିଚାଳନା ଏବଂ ନିୟମିତ ପଶୁ ଚିକିତ୍ସକଙ୍କ ଅନୁଧ୍ୟାନର ଆବଶ୍ୟକତା ରହିଛି। ତା’ର କୋଲ୍ହାପୁର ଫେରିବା ସହିତ ବନ୍ତାରାର ଦାୟିତ୍ୱ ଶେଷ ହୋଇଯାଉନାହିଁ। ମାଧୁରୀର ପରିବର୍ତ୍ତନ ପ୍ରକ୍ରିୟାକୁ ସହଜ କରିବା ପାଇଁ ବନ୍ତାରା କାର୍ଯ୍ୟ ଜାରି ରଖିବ, ଯାହାଦ୍ୱାରା ଉପଯୁକ୍ତ ରହିବା ପରିବେଶ, ପଶୁ ଚିକିତ୍ସା ଭିତ୍ତିଭୂମି, ଚିକିତ୍ସା ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଉପଲବ୍ଧ ହୋଇପାରିବ। ଏଚ୍ପିସିର ନିର୍ଦ୍ଦେଶ ଅନୁଯାୟୀ, ବନ୍ତାରାର ପଶୁ ଚିକିତ୍ସକମାନେ ପ୍ରତି ପକ୍ଷରେ (୧୫ ଦିନରେ) କୋଲ୍ହାପୁର ଯାଇ ମାଧୁରୀର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ମାଧୁରୀ ଯେଉଁଠାରେ ବି ରହୁନା କାହିଁକି, ତା’ର ନିରବଚ୍ଛିନ୍ନ ସେବା ଏବଂ କଲ୍ୟାଣ ସୁରକ୍ଷିତ କରିବା ବନ୍ତାରାର ମୁଖ୍ୟ ଉଦ୍ଦେଶ୍ୟ।
ନନ୍ଦନୀସ୍ଥିତ ଯେଉଁ ପରିସର ଏବଂ ସୁବିଧାକୁ ମାଧୁରୀ ଫେରୁଛି, ବନ୍ତାରା ସେଥିପାଇଁ ମଧ୍ୟ କାର୍ଯ୍ୟ କରିଛି। ଉପଲବ୍ଧ ଭିତ୍ତିଭୂମି ମଧ୍ୟରେ ତା’ ପାଇଁ ସର୍ବୋତ୍ତମ ସମ୍ଭବ ବ୍ୟବସ୍ଥା କରାଯାଇଛି। ନଗର ଯୋଜନା ସମ୍ବନ୍ଧୀୟ ସୀମାବଦ୍ଧତା ଯୋଗୁଁ ଏହି ସମୟରେ ଭିତ୍ତିଭୂମିର ଅଧିକ ଉନ୍ନତି କରାଯାଇପାରିନାହିଁ, କାରଣ ମଠର ଜମି ଦେଇ ଯାଇଥିବା ଏକ ରାସ୍ତା ବିକାଶ ପାଇଁ ଉପଲବ୍ଧ ଜମିକୁ ସୀମିତ କରିଦେଇଛି। ମାଧୁରୀ ସେଠାରେ ଥଇଥାନ ହୋଇସାରିବା ପରେ, ଏହି ସୁବିଧାର ଆହୁରି ଉନ୍ନତୀକରଣ ପାଇଁ ବନ୍ତାରା ମଠକୁ ସହାୟତା କରିବାକୁ ପ୍ରସ୍ତୁତ ରହିବ। ଅଦାଲତ କିମ୍ବା ସକ୍ଷମ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଲେ ବନ୍ତାରା ଏହିପରି ଉନ୍ନତୀକରଣରେ ସମାନ ଭାବେ ସାହାଯ୍ୟ କରିବ। ବନ୍ତାରା ବିଶ୍ୱାସ କରେ ଯେ ପ୍ରକୃତ ପ୍ରାଣୀ କଲ୍ୟାଣ ପାଇଁ ତଥ୍ୟ, ପଶୁ ଚିକିତ୍ସା ବିଜ୍ଞାନ, ଦାୟିତ୍ୱବାନ ଯତ୍ନ, ଆଇନଗତ ପ୍ରକ୍ରିୟା ପ୍ରତି ସମ୍ମାନ ଏବଂ ଜୀବନର ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ।
ବନ୍ତାରା ସୁପ୍ରିମକୋର୍ଟ, ବମ୍ବେ ହାଇକୋର୍ଟ ଏବଂ ଏଚ୍ପିସିଙ୍କ ନିର୍ଦ୍ଦେଶାବଳୀ ପାଇଁ ସେମାନଙ୍କ ନିକଟରେ କୃତଜ୍ଞ। ବନ୍ତାରା ମହାରାଷ୍ଟ୍ର ଓ ଗୁଜରାଟ ସରକାର ଏବଂ ବିଭାଗୀୟ ଅଧିକାରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ମାଧୁରୀ ପ୍ରତି ସେମାନଙ୍କ ଚିନ୍ତା ପାଇଁ ବନ୍ତାରା ମଠ ଏବଂ କୋଲ୍ହାପୁରବାସୀଙ୍କ ନିକଟରେ ମଧ୍ୟ ସମାନ ଭାବରେ କୃତଜ୍ଞତା ବ୍ୟକ୍ତ କରୁଛି। ମାଧୁରୀର ଅବସ୍ଥାକୁ ଏଚ୍ପିସି ସମ୍ମୁଖକୁ ଆଣିବାରେ ପେଟା, ଭାରତର ଭୂମିକାକୁ ମଧ୍ୟ ବନ୍ତାରା ସ୍ୱୀକାର କରୁଛି ଏବଂ ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ଆମର ଦୀର୍ଘଦିନର ସମ୍ପର୍କକୁ ଗୁରୁତ୍ୱ ଦେଉଛି। ମାଧୁରୀର କଲ୍ୟାଣ ସଦାସର୍ବଦା ବନ୍ତାରା ପ୍ରାଥମିକ ଚିନ୍ତା ହୋଇ ରହିବ। ତା’ର ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ସମ୍ମାନ ପ୍ରତି ବନ୍ତାରାର ପ୍ରତିବଦ୍ଧତା ସେ କେଉଁଠାରେ ରହୁଛି ତାହା ଉପରେ ନିର୍ଭର କରେ ନାହିଁ। ବନ୍ତାରା ମାଧୁରୀର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏକ ଦୀର୍ଘ, ସୁରକ୍ଷିତ ଓ ସୁଖମୟ ଜୀବନ କାମନା କରୁଛି।
– ବନ୍ତାରା