ବନାଗ୍ନି ଏବଂ ବନ୍ୟଜନ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ବନାଗ୍ନି ଏବଂ ବନ୍ୟଜନ୍ତୁ ପରିଚାଳନା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ବନଖଣ୍ଡ ଅଧିକାରଣୀ କ୍ଷମା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବେ କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ଫାଲ୍ଗୁନି ପାର୍ଥ ସାରଥୀ ମଲ୍ଲିକ, ଅତିରିକ୍ତ ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ସେଠୀ, ପିଟର ଟିଗା ଓ ରଶ୍ମୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବନ ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ସମ୍ପୂର୍ଣ୍ଣ ବନଖଣ୍ଡ ଅଞ୍ଚଳରେ ଜୀବଜନ୍ତୁଙ୍କ ସୁରକ୍ଷା ସହ ବନାଗ୍ନି ନିୟନ୍ତ୍ରଣରେ ବନ ବିଭାଗ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ପ୍ରତ୍ୟେକ ଭିଏସଏସ ଏବଂ ପଞ୍ଚାୟତସ୍ତରରେ ଜନସାଧାରଣଙ୍କୁ ସ୍ୱେଚ୍ଛାକୃତ ଭାବେ ବନାଗ୍ନି ରୋକିବା ଦିଗରେ ସଚେତନ ହେବାକୁ ଶ୍ରୀମତୀ ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ। ସେହିପରି ଆଗାମୀ ଦିନରେ ଦେବଗଡ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁ ପରିଚାଳନା ଏବଂ ବନାଗ୍ନିକୁ ରୋକିବା ଦିଗରେ ଚିଠା ପ୍ରସ୍ତୁତ କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ଭିଏସଏସର ସଦସ୍ୟ ସଦସ୍ୟାଙ୍କ ସମେତ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଥିଲେ।