ନୂଆଦିଲ୍ଲୀ,ଏଜେନ୍ସି: ସେନାରେ ସାମିଲ ହେବେ ଶହୀଦଙ୍କ ପତ୍ନୀ। ଗଲୱାନ ଶହୀଦ ନାଏକ ଦୀପକ ସିଂହଙ୍କ ପତ୍ନୀ ରେଖା ଦେବୀ ସେନାରେ ସାମିଲ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି। ଏନେଇ ଆର୍ମି ଟେଷ୍ଟରେ କୃତକାର୍ଯ୍ୟ ହୋଇଛନ୍ତି ରେଖା ଦେବୀ। ଆହ୍ଲାବାଦରେ ଚାଲିଥିବା ୫ ଦିନିଆ ଏସ୍ଏସ୍ବି (ସର୍ଭିସ ସିଲେକ୍ସନ ବୋର୍ଡ)ର ପର୍ସନାଲିଟି ଓ ଇଣ୍ଟେଲିଜେନ୍ସ ଟେଷ୍ଟରେ ସେ ପାସ୍ କରିଛନ୍ତି।
ଏହା ପରେ ବର୍ତ୍ତମାନ ସେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ତାଲିମ୍ ନେବେ। ସେଠାରେ ୯ମାସ ଟ୍ରେନିଂ ନେବା ପରେ ସେ ଆର୍ମିରେ ଲେପ୍ଟନାଣ୍ଟ ଭାବେ କାର୍ଯ୍ୟ କରିବେ। ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବାସିନ୍ଦା ହେଉଛନ୍ତି ରେଖା ଦେବୀ। ଗତବର୍ଷ ନଭେମ୍ବରରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସ୍ବାମୀଙ୍କୁ ମରଣୋତ୍ତର ଭାବେ ମିଳିଥିବା ବୀରଚକ୍ର ସମ୍ମାନ ଗ୍ରହଣ କରିଥିଲେ।
ଦୀପକ ସିଂହ ବିହାର ରେଜିମେଣ୍ଟର ୧୬ ବାଟାଲିୟନରେ କାର୍ଯ୍ୟରତ ଥିଲେ। ୨୦୨୦ ଜୁନ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ ସେମାନଙ୍କ ମଧ୍ୟରେ ଦୀପକ ଥିଲେ ଅନ୍ୟତମ। ୨୩ ବର୍ଷ ବୟସରେ ଦୀପକଙ୍କ ହାତ ଧରିଥିଲେ ରେଖା। ଦେଶସେବା କରି ଜୀବନରୁ ଉତ୍ସର୍ଗ କରିଥିବା ଦୀପକଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି ପତ୍ନୀ ରେଖୀ ଦେବୀ।