ଆଜିଠୁ ୧୪ ଦିନ ଯାଏଁ କର୍ଣ୍ଣାଟକରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା

ବେଙ୍ଗାଲୁରୁ,ଏନ୍ଏନ୍ଏସ୍: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଆଜିଠୁ ସମ୍ପୂର୍ଣ୍ଣ ରାଜ୍ୟରେ ୧୪ ଦିନିଆ ଲକଡାଉନ ନେଇ ଘୋଷଣା କରିଛନ୍ତି। ରାଜ୍ୟରେ ଦ୍ର୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣରେ ରୋକ ଲଗାଇବା ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪ ହଜାର ନୂଆ ମାମଲା ଚିହ୍ନଟ ହୋଇଛି।

ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି ଯେ ସମସ୍ତ ମନ୍ତ୍ରୀ ଏବଂ ବିଭିନ୍ନ ବିଶେଷଜ୍ଞ ମାନଙ୍କ ସହିତ ଅଲୋଚନା କରିବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି। ସକାଳ ୬ରୁ ୧୦ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ଛାଡ ମିଳିବା ନେଇ ସେ ସୂଚନା ଦେଇଛନ୍ତି।

କର୍ଣ୍ଣାଟକ ତଥା ରାଜଧାନୀ ବେଙ୍ଗାଲୁରୁରେ ସଂକ୍ରମଣ ମାମଲା ବହୁଗୁଣରେ ଚିହ୍ନଟ ହେଉଥିବା ବେଳେ ମେଡିକାଲ ମାନଙ୍କରେ ଭେଣ୍ଟିଲେଟର ଏବଂ ଆଇସିୟୁ ବେଡର ଅଭାବ ଦେଖାଦେଇଛି। ଲୋକମାନେ ମେଡିକାଲରେ ଅଡମିସନ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୧.୬ ଲକ୍ଷ ସକ୍ରିୟ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏହା ଧୀରେଧୀରେ ମେଡିକାଲ ଗୁଡିକର କ୍ଷମତା ବାହାରକୁ ଚାଲି ଗଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଆଡଭାଇଜରି କମିଟି ସହିତ ଆଲୋଚନା କରିବା ପରେ ସମ୍ପୂର୍ଣ୍ଣ ରାଜ୍ୟରେ ୧୪ ଦିନ ଲକଡାଉନ ଲାଗୁ କରିବା ନେଇ ସରକାର ନିଷ୍ପତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ସହିତ ସପ୍ତାହନ୍ତା ଲକଡାଉନ ମଧ୍ୟ ଲାଗୁ କରାଯାଇଥିଲା।