ନୂଆଦିଲ୍ଲୀ,ଏଜେନ୍ସି: କରୋନା କବଳରୁ ବର୍ତ୍ତି ପାରନି ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ। ଛୋଟା ରାଜନ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ତିହାର ଜେଲର ଅଧିକାରୀମାନେ ଦିଲ୍ଲୀର ଏକ ଅଧିବେଶନ କୋର୍ଟକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଛୋଟା ରାଜନର ଅବସ୍ଥା ସ୍ଥିର ଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଛୋଟା ରାଜନ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟର ୨୦୧୫ ରେ ଇଣ୍ଡୋନେସିଆରୁ ବାଲିରୁ ଭାରତ ଫେରୁଥିବା ସମୟରେ ଗିରଫ ହୋଇଥିଲା। ଗିରଫ ହେବା ପରଠାରୁ ରାଜନକୁ ଦିଲ୍ଲୀ ତିହାଡ ଜେଲରେ ରଖାଯାଇଛି। ମୁମ୍ବାଇରେ ଡନ୍ ବିରୋଧରେ ପଞ୍ଜିକୃତ ହୋଇଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଏହି ମାମଲାର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯାଇଛି।
ଅନ୍ୟପଟେ ଗତ କିଛି ଦିନ ହେବ ତିହାଡ ଜେଲ ଭିତରେ କରୋନାର କୋପ ଅଧିକ ଦେଖିବାକୁ ମିଳୁଛି। ଗୋଟିଏ ପରେ ଗୋଟିଏ କଏଦୀ ସଂକ୍ରମିତ ହେବା ସହିତ ବହୁ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଜେଲ ଭିତରେ କରୋନାକୁ ଆୟତ କରିବା ଏବେ ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ତେବେ ଛୋଟା ରାଜନ୍ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଚିକିତ୍ସା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।