୧୬ରୁ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ୍

ପାଟନା,ଏଜେନ୍ସି: ବିହାରରେ କୋଭିଡ୍-୧୯ ଭୂତାଣୁର ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡଲରେ ମୋଦୀ କହିଛନ୍ତି ଯେ, ସମସ୍ତ ମ୍ୟୁନିସିପାଲ, ଜିଲ୍ଲା, ସବ୍-ଡିଭିଜନ ଏବଂ ବ୍ଲକ ମୁଖ୍ୟାଳୟ ସ୍ତରରେ ଲକଡାଉନ୍ ବଳବତ୍ତର ରହିବ। ଏଥିନିମନ୍ତେ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା।

ଏକ ଭର୍ଚୁଆଲ ରାଲିରେ ସୁଶିଲ ମୋଦୀ କହିଥିଲେ, କରୋନା ଭାଇରସର ପ୍ରତିକାର ନିମନ୍ତେ କୌଣସି ପ୍ରତିଷେଧକ ନାହିଁ କି ଚିକିତ୍ସା ପାଇଁ ଔଷଧ ମଧ୍ୟ ନାହିଁ। ତେଣୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନ୍ୟ ଏକ ଘଟଣାରେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ୭୫ ଜଣ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମଚାରୀ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଗତ ସୋମବାର ୧୦୦ ବିଜେପି ନେତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ସେଥିରୁ ୭୫ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ବିଜେପି କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଉଛି।