ଆସାମ ବନ୍ୟା ପରିସ୍ଥିତି ଗମ୍ଭୀର: ୨୨ ଲକ୍ଷ ଲୋକ କ୍ଷତିଗ୍ରସ୍ତ, ୫୦ ମୃତ

ଦିଶପୁର,ଏଜେନ୍ସି: ଆସାମର ୨୭ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବନ୍ୟାରେ ପ୍ରାୟ ୨୨ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ରାଜ୍ୟ ସରକାର କହିଛନ୍ତି। ସୋମବାର ଆହୁରି ୬ ଜଣ ଲୋକ ମୃତ୍ୟୁବରଣ କରିବା ଫଳରେ ଆସାମରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୦କୁ ଛୁଇଁଛି। ବିପନ୍ନଙ୍କୁ ଉଦ୍ଧାର, ରିଲିଫ ଯୋଗାଣ ଓ ଥଇଥାନ କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ସ୍ଥାନୀୟ ପ୍ରଶାସନର ମିଳିତ ଟିମ ବ୍ୟସ୍ତ ଅଛନ୍ତି।

ଗତ ୨୪ ଘଣ୍ଟା ଭିତରେ ୯୮ ଡଙ୍ଗା ସହାୟତାରେ ପ୍ରାୟ ୧୯ ହଜାର ୫୪୮ ଜଣ ଲୋକଙ୍କୁ ଜଳବନ୍ଦିରୁ ଉଦ୍ଧାର କରାଯାଇଛି। ଆସାମର ଧାମେଜୀ, ଉଦାଲଗୁଡ଼ି, ବିଶ୍ୱନାଥ, ସୋନିତପୁର, ବକ୍ସା, ଲଖିମପୁର, ଚିରାଙ୍ଗ, ବାର୍ପେଟା, ବୋଙ୍ଗାଇଗାଁ, କୋକ୍ରାଝର, ଗୋଲପଡ଼ା, କାମରୂପ, ଗୋଲାଘାଟ, ଜୋରହାଟ, ଶିବସାଗର, ମାଜୁଲି, ଦିବ୍ରୁଗଡ଼, ୱେଷ୍ଟ କାର୍ବି ଆଙ୍ଗଲଙ୍ଗ, କାର୍ବି ଆଙ୍ଗଲୋଙ୍ଗ ଓ ତିନସୁକିଆ ଜିଲ୍ଲାଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାର୍ପେଟାରେ ୫ ଲକ୍ଷ ୫୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଦକ୍ଷିଣ ସାଲମାରାରେ ଲକ୍ଷେ ୯୨ ହଜାର ଓ ଧାମେଜୀରେ ଲକ୍ଷେ ୩୦ ହଜାର ବିପନ୍ନ ହୋଇଛନ୍ତି। ପ୍ରାୟ ୨,୭୬୩ ଗ୍ରାମରେ ବନ୍ୟାଜଳ ପଶି ନାହିଁ ନଥିବା କ୍ଷତି କରିଛି।

ବନ୍ୟା ଦାଉରେ ୧,୦୩,୮୦୬ ହେକ୍ଟର ଫସଲ ହାନି ଘଟିଛି। ଅଦ୍ୟାବଧି ୬୧ ହଜାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ଅନ୍ୟ ନଦୀଗୁଡ଼ିକ ସହିତ ବ୍ରହ୍ମପୁତ୍ର ନଦୀରେ ବିପଦସଙ୍କେତ ଟପି ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ପ୍ରଭାବରେ ବହୁ ରାସ୍ତା, ପୋଲ, କଲଭର୍ଟ, କେନାଲ ସମେତ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଆହୁରି ଦୁଇଦିନ ଧରି ବର୍ଷା ଲାଗିରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।