ନୂଆଦିଲ୍ଲୀ,ଏଜେନ୍ସି: ଭାରତ ବାୟୋଟେକ୍ କରୋନା ରୋଗର ପ୍ରତିଷେଧକ ଟିକାର ବିକାଶ ଦିଗରେ କାର୍ଯ୍ୟ କରୁଛି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକାର ନାମ ରଖାଯାଇଛି କୋଭାକ୍ସିନ୍। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ସହଯୋଗରେ କମ୍ପାନୀ ଏହି ଟିକା ପ୍ରସ୍ତୁତ କରୁଛି। ଏହି ଟିକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି।
ଏହି ଟିକାର ପଶୁମାନଙ୍କ ଉପରେ ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ଆରମ୍ଭ ହୋଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି। ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ଯେ, ଏହି ଟିକାଗୁଡିକର ବିଷକ୍ରିୟା ରହିଛି କି ନାହିଁ ତାର ପରୀକ୍ଷଣ ମୂଷା ଓ ଠେକୁଆମାନଙ୍କ ଉପରେ କରାଯାଇଛି ଏବଂ ତାହା ସଫଳ ହୋଇଛି।
ଏହି ପରୀକ୍ଷା ସମ୍ପର୍କୀତ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଟିକାର କ୍ଳିନିକାଲ ଷ୍ଟଡି ପ୍ରାୟ ୧ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଉଛି।