୨୦ ଲକ୍ଷ ଭାରତୀୟ ଆକାଉଣ୍ଟ ବନ୍ଦକଲା ହ୍ୱାଟସଆପ

  • ନୂଆଦିଲ୍ଲୀ: ଦେଶରେ ନୂଆ ଡିଜିଟାଲ ଆଇନ କାର୍ଯ୍ୟକାରୀ ହେବା ପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମେସେଜିଂ ଆପ୍ ହ୍ୱାଟସଆପ୍। ଅଶ୍ଳୀଳ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଅଭିଯୋଗରେ ମେ’ ୧୫ରୁ ମେ’ ୨୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ହ୍ୱାଟସଆପ ନିଜ ତରଫରୁ ବନ୍ଦ କରିଦେଇଛି।
    ସଂସ୍ଥା ପକ୍ଷରୁ ଜାରି ସୁରକ୍ଷା ସମ୍ପର୍କିତ ନିୟମକୁ ଏହି ଆକାଉଣ୍ଟଗୁଡ଼ିକ ଉଲ୍ଲଙ୍ଘନ କରିଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଏହି ଆକାଉଣ୍ଟଗୁଡ଼ିକ ଜାରି ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଥିଲା। ଏହାପରେ ଏଗୁଡ଼ିକ ବ୍ୟାନ୍ କରାଯାଇଛି ବୋଲି ହ୍ୱାଟସଆପ୍ କହିଛି।
    ନୂଆ ଡିଜିଟାଲ ଆଇନ ଅନୁସାରେ, ସୋଶାଲ ମିଡିଆ ସଂସ୍ଥାଗୁଡ଼ିକ ନିୟମ ଉଲ୍ଲଙ୍ଘନ କରୁଥିବା ଆକାଉଣ୍ଟଧାରୀଙ୍କ ବିରୋଧରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତା’ର ମାସିକ ରିପୋର୍ଟ ସାର୍ବଜନୀନ କରିବେ। ଏହି ଆଧାରରେ ହ୍ୱାଟସଆପ୍ ତା’ର ମାସିକ ରିପୋର୍ଟ ଜାରି କରିଛି।
    ଏହାପୂର୍ବରୁ ଫେସବୁକ ୩୦ ନିୟୁତରୁ ଅଧିକ ପୋଷ୍ଟ, ଇନଷ୍ଟାଗ୍ରାମ ୨ ନିୟୁତ ପୋଷ୍ଟ ଓ ଗୁଗଲ ୫୯,୩୫୦ ଲିଙ୍କ ନିଜ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ। ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟର ଆଳରେ ସଂସ୍ଥାଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଥିଲେ।