ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ : ଧୱନ ଆଉଟ୍ , ସାମସନ୍ ସାମିଲ

ନୂଆଦିଲ୍ଲୀ,ଏଜେନ୍ସି: ବାମହାତୀ ଭାରତୀୟ ଓପନର ଶିଖର ଧୱନ ଆହତ ଯୋଗୁଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କେରଳ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇଛି। ସାମସନ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନଥିଲା। ବାଂଲା ବିପକ୍ଷରେ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ସାମସନଙ୍କୁ ସ୍ଥାନ ମିଳିଥିଲା। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ଲାଗି କୋହଲି ଦଳକୁ ଫେରିବା ପରେ ସାମସନଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ତାଙ୍କୁ ବାଦ୍ ଦିଆଯିବାରୁ ଅନେକ ପୂର୍ବତନ ଖେଳାଳି ଓ ରାଜନେତା ଶଶି ଥରୁର ବିସିସିଆଇ ସିଲେକ୍ସନ କମିଟିକୁ ସମାଲୋଚନା କରିଥିଲେ। ଜଣେ ଉଦୀୟମାନ ଖେଳାଳିଙ୍କୁ ଖେଳିବାର ସୁଯୋଗ ନ ଦେଇ ଦଳରୁ ବାଦ୍ ଦିଆଯିବା ଖେଳାଳିଙ୍କ ଆତ୍ମବିଶ୍ୱାସ କମିଯିବ ବୋଲି କୁହାଯାଇଥିଲା। ଏପରିକି ପୂର୍ବତନ ଅଫ ସ୍ପିନର ହରଭଜନ ସିଂ ବର୍ତ୍ତମାନର ନ୍ୟାସନାଲ ସିଲେକ୍ସନ କମିଟିକୁ ପରିବର୍ତ୍ତନ କରିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନିକଟରେ ଦାବି କରିଥିଲେ। ସାମୟିକ ସମୟ ଲାଗି ହେଉ ପଛେ ସାମସନଙ୍କୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର ଏବେ ପରିସମାପ୍ତି ହୋଇଛି। ହାଇଦ୍ରାବାଦ୍ରେ ଡିସେମ୍ବର ୬ରୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜ୍ର ଅନ୍ୟ ଦୁଇଟି ମ୍ୟାଚ୍ ଥିରୁଅନନ୍ତପୁରମରେ ଡିସେମ୍ବର ୮ ଓ ମୁମ୍ବାଇରେ ଡିସେମ୍ବର ୧୧ରେ ଖେଳାଯିବ।

ଅନ୍ୟପକ୍ଷରେ ସୁରତ୍ରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ଧୱନଙ୍କା ବାମ ଆଣ୍ଠୁ କାଟି ହୋଇଯାଇଥିଲା। ଏଥିରେ ଷ୍ଟିଚ୍ ପଡ଼ିଥିଲାବେଳେ ମଙ୍ଗଳବାର ବିସିସିଆଇ ମେଡିକାଲ ଟିମ୍ ତାଙ୍କ ଫିଟ୍ନେସ୍ ଟେଷ୍ଟ କରିଥିଲା। ସେଥିରେ ସେ ପୂରା ଫିଟ୍ ହୋଇ ନଥିବାର ଜଣାଯାଇଥିଲା ଏବଂ ଏହି ଇଞ୍ଜୁରୀ ସମସ୍ୟାରୁ ମୁକୁଳିବା ଲାଗି ତାଙ୍କୁ ଆଉକିଛି ସମୟ ଲାଗିବ ବୋଲି ମେଡିକାଲ ଟିମ୍ କହିଥିଲା। ଫଳରେ ସିନିୟର ସିଲେକ୍ସନ କମିଟି ତାଙ୍କୁ ଟି-୨୦ ସିରିଜ୍ରୁ ବାଦ୍ ଦେଇଥିଲା। ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍ ପୂର୍ବରୁ ସେ ଫିଟ୍ ହୋଇଯାଇଥିବେ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି ୩୩ ବର୍ଷୀୟ ଓପନର ପୂରା ଚାପରେ ରହିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍ରେ ୩ଟି ମ୍ୟାଚ୍ ଖେଳି ମାତ୍ର ୯୧ ରନ୍ କରିଥିଲେ। ଏହାପରେ ସୟଦ ମୁସ୍ତାକ୍ ଅଲ୍ଲି ଟି-୨୦ରେ ମଧ୍ୟ ତାଙ୍କ ଫର୍ମରେ ପରିବର୍ତ୍ତନ ହୋଇ ନଥିଲା। ଏଥିଯୋଗୁଁ ଚାପରେ ରହିଥିବା ଧୱନଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ କ୍ୟାରିୟର ସୁଧାରିବାରେ କିମ୍ବା ଶେଷ କରିବାରେ ନିର୍ଣ୍ଣାୟକ ଭୂମିକା ନେବ।