ପଶ୍ଚିମବଙ୍ଗ ୨ୟ ପର୍ଯ୍ୟାୟ ମତଦାନ ଜାରି, ନନ୍ଦିଗ୍ରାମରେ ମମତା-ଶୁଭେନ୍ଦୁଙ୍କ ଟକ୍କର

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଏଥି ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ନଜର ରଖାଯାଇଛି ଏବଂ ବ୍ୟାପକ ଭାବେ ପୁଲିସ ମୁତୟନ କରାଯାଇଛି।

ଏହି ପର୍ଯ୍ୟାୟରେ ୩୦ଟି ଆସନରେ ମତଦାନ ହେଉଛି। ଦକ୍ଷିଣ ୨୪ ପ୍ରଗଣା, ବାଙ୍କୁଡା, ପଶ୍ଚିମ ମେଦିନୀପୁର ଓ ପୂର୍ବ ମେଦିନୀପୁର ଜିଲ୍ଲା ଗୁଡ଼ିକରେ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ବହୁ ଚର୍ଚ୍ଚିତ ନନ୍ଦିଗ୍ରାମରେ ମଧ୍ୟ ଭୋଟିଂ ହେଉଛି। ନନ୍ଦିଗ୍ରାମରୁ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଛିଡ଼ା ହୋଇଛନ୍ତି ଓ ମମତାଙ୍କ ବିରୋଧରେ ବିଜେପିର ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି। ଏହି ୩ଟି ଆସନ ପାଇଁ ୧୭୧ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୨ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ। ମତଦାନ ପାଇଁ ୧୦ ହଜାର ୬୨୦ଟି ମତଦାନ କେନ୍ଦ୍ର କରାଯାଇଛି।

ନନ୍ଦିଗ୍ରାମରେ ମମତା ଓ ଶୁଭେନ୍ଦୁଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି। ଏନେଇ ନନ୍ଦିଗ୍ରାମ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ସେହିପରି ଡ୍ରୋନ କ୍ୟାମେରା ସାହାଯ୍ୟରେ ନଜର ରଖାଯାଉଛି। ଏଠାରେ ବାମ ଦଳରୁ ମୀନାକ୍ଷୀ ମୁଖାର୍ଜୀ ଛିଡ଼ା ହୋଇଛନ୍ତି।