ଆଜି ଉତ୍କଳ ଦିବସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଉତ୍କଳ ଦିବସ। ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ଦିନଟିଏ। ଅନେକ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ପହିଲାରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।

ଆଜିର ଦିନରେ ଅର୍ଥାତ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଉତ୍କଳ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା। ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମିଳିଥିଲା ସ୍ୱୀକୃତି। ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା। ଖଣ୍ଡ ବିଖଣ୍ଡିତ ହୋଇ ଭାଷାଭାଷୀ ଅଞ୍ଚଳ ଭାବେ ରହିଥିଲା ଓଡ଼ିଶା। ତେଣୁ ଏପ୍ରିଲ ୧ ତାରିଖଟି ଆମ ପାଇଁ ହେଉଛି ପରିଚୟର ଦିନ।

ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ୍ ଅଧୀନରେ ଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, କଥା ସମ୍ରାଟ ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ବନ ବିଦ୍ୟାଳୟର ମାର୍ଗଦର୍ଶକ ନୀଳକଣ୍ଠ ଦାସ ଏହି ଓଡ଼ିଆ ଭାଷାର ମହତ୍ତ୍ୱକୁ ପ୍ରତିପାଦିତ କରାଇଥିଲେ।