ଝାଡ଼ଖଣ୍ଡରେ ଆଇଡି ବିସ୍ଫୋରଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରାଞ୍ଚି,ଏଜେନ୍ସି: ଗତକାଲି ସକାଳେ ପଶ୍ଚିମବଙ୍ଗର ପଶ୍ଚିମ ସିଂହଭୂମ ଜିଲ୍ଲାର ଇଚାହାଟୁ ଅଞ୍ଚଳରେ ବିସ୍ଫୋରଣରେ ସ୍ବାମୀ ପ୍ରାଣ ହରାଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ପାଇଁ ନକ୍ସଲମାନଙ୍କ ଦ୍ବାରା ଏହି ବିସ୍ଫୋରକ ରଖାଯାଇଥିଲା । ଏହି ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର ଜଣେ ୫୨ ବର୍ଷୀୟ କୃଷ୍ଣ ପୁରତିଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି ।

ଏହି ବିସ୍ଫୋରଣରେ କୃଷ୍ଣ ପୁରତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୪୫ ବର୍ଷୀୟା ପତ୍ନୀ ନନ୍ଦୀ ପୁରତି ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣଟି ଗୋଇଲକେରା ପୋଲିସ ଷ୍ଟେସନ ଅଧୀନରେ ଘଟିଛି । ପଶ୍ଚିମ ସିଂହଭୂମ ପୋଲିସ ଅଧୀକ୍ଷକ ଆଶୁତୋଷ ଶେଖର ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରି ପ୍ରେସମିଟ କରିଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଇଚାହାଟୁ ଗାଁର ଏହି ଦମ୍ପତି ନିଜ କ୍ଷେତକୁ ଯାଉଥିଲେ ଯେଉଁଠାରେ ବୁଧବାର ସକାଳେ ସେମାନେ ଫସଲ ଅମଳ କରିବାର ଥିଲା । କ୍ଷେତକୁ ଯାଉଥିବା ରାସ୍ତାରେ ଏହି ଆଇଇଡି ବିଛାଇଥିଲେ ଲାଲବାହିନୀ ।

ଏହା ପୋଲିସ ଓ ସୁରକ୍ଷାବଳ ଉଦ୍ଦେଶ୍ୟରେ ସେମାନେ ଲଗାଇଥିଲେ । ଏହା ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ସ୍ବାମୀ କୃଷ୍ଣ ପୁରତିଙ୍କ ମୃତ୍ୟୁ ହୋଇଥିଲା । ପତ୍ନୀ ନନ୍ଦୀ ପୁରତି ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାବଳର ଯବାନ ଓ ପୋଲିସ ଟିମ ପହଞ୍ଚିଛନ୍ତି । ମାଓବାଦୀ ମାନେ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପାଟ୍ରୋଲିଂକୁ କଡାକଡି କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି । ଅନ୍ୟପଟେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।