ଶାହଙ୍କୁ ପୁଣିଥରେ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି ପୁଣିଥରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ପୂର୍ବରୁ ଶନିବାର ଦିନ ଧନଖଡ଼ ଶାହାଙ୍କୁ ଭେଟିଥିଲେ। ବଙ୍ଗଳାର ବର୍ତ୍ତମାନ ସ୍ଥିତି ଓ ଆଇନ ବ୍ୟବସ୍ଥାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି। ଧନଖଡ଼ ଗୁରୁବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଗୁଡ଼ୁଥିବା ଆଇନ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖଡ଼ ମୁହାଁମୁହିଁ ହୋଇଛନ୍ତି। ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କ ସହ ତାଙ୍କ ସାକ୍ଷାତକୁ ଧନଖଡ଼ ଏକ ଶିଷ୍ଟାଚାର ସାକ୍ଷାତ ବୋଲି କହିଛନ୍ତି। ମେ’୨ରେ ନିର୍ବାଚନ ପରିଣାମ ଘୋଷିତ ହେବା ପରେ ଧନଖଡ଼ ହିଂସା ପ୍ରଭାବିତ ରାଜ୍ୟର ଅନେକ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଥିଲେ।