ନୂଆଦିଲ୍ଲୀ: ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟକୁ ବେପାରୁଆ ନହେବାକୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି। ଅନଲକ ଯୋଗୁ ଅନେକ ସ୍ଥାନରେ ବଜାର ଓ ସଡ଼କରେ ଭିଡ଼ ପରିଲକ୍ଷିତ ହେଉଥିବାରୁ କେନ୍ଦ୍ର ସରକାର ଏଭଳି କହିଛନ୍ତି। ଗୃହ ମନ୍ତ୍ରଣାଳୟ ତରଫରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଥିବା ପତ୍ରରେ ଟେଷ୍ଟ, ଟ୍ରେକ, ଟ୍ରିଟ ସହ ଟିକାକରଣ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଏଥିସହିତ କୋଭିଡ ଗାଇଡଲାଇନ ପାଳନକୁ ସୁନିଶ୍ଚିତ କରିବାକୁ ମଧ୍ୟ ଉଲ୍ଲେଖ କରାଯାଇଛି।
କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କରୋନା ଚେନକୁ ଭାଙ୍ଗିବା ପାଇଁ ଟିକାକରଣ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରନ୍ତୁ।