ଲୋକଙ୍କ ଉପରେ ନକଲି ଟିକାର ପ୍ରଭାବ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ: ମମତା ସରକାର

କୋଲକାତା,ଏଜେନ୍ସି: କୋଲକାତାରେ ହୋଇଥିବା ନକଲି ଟିକାକରଣର ଯାଞ୍ଚ ପାଇଁ ୪ ଜଣ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିଛି ମମତା ସରକାର। ଏହି କମିଟି ଲୋକଙ୍କ ଉପରେ ନକଲି ଟିକାର ପ୍ରଭାବକୁ ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ହସ୍ତାନ୍ତର କରିବ। ଏଥିସହିତ ଯେଉଁ ମାନଙ୍କୁ ଏହି ନକଲି ଟିକା ଦିଆଯାଇଛି ସେମାନଙ୍କୁ କ’ଣ ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ ସେ ନେଇ କମିଟି ସୂଚନା ଦେବ। ଏହାର ରିପୋର୍ଟ ମିଳିବା ପରେ ସରକାରଙ୍କ ତରଫରୁ ପୀଡ଼ିତଙ୍କ ଡାକ୍ତରୀ ଯାଞ୍ଚ କରାଯିବ।

ଏହି କମିଟିରେ ପ୍ରଫେସର ଶାନ୍ତନୁ ତ୍ରିପାଠୀ, ଡ. ଜ୍ୟୋତିର୍ମୟ ପାଲ, ଡ. ସୌମିତ୍ର ଘୋଷ ଓ ଡ. ଜିକେ ଢ଼ାଲି ସାମିଲ ଅଛନ୍ତି। କୋଲକାତାର କସବା ଅଞ୍ଚଳରେ ଏହି ନକଲି ଟିକାକରଣ ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ଲୋକଙ୍କ ସହିତ ତୃଣମୂଳ କଂଗ୍ରେସର ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ଟିକାର ଗୋଟେ ଡୋଜ ନେଇଥିଲେ। ଟିକାକରଣ ପରେ କୌଣସି ମେସେଜ ନ ଆସିବାରୁ ଚକ୍ରବର୍ତ୍ତୀଙ୍କ ମନରେ ସନ୍ଦେହ ହେଲା। ଏନେଇ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଯାଞ୍ଚ ପରେ ଏହା ନକଲି ଟିକାକରଣ ଶିବିର ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ ଅନେକ ଲୋକଙ୍କୁ ଗିରଫ କରିଛି।