୭ କରୋନା ଯୋଦ୍ଧାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧନା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି କରୋନାରୁ ସୁସ୍ଥ ହୋଇଥିବା ୭ ପୁଲିସ କର୍ମଚାରୀଙ୍କୁ ଏସପି ମନୋଜ କୁମାର ମହାନ୍ତ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଛନ୍ତି। ଆଜି ଯାଏ ଜିଲ୍ଲା ପୁଲିସରେ କାର୍ଯ୍ୟରତ ମୋଟ ୬୬ ଜଣ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଥିବାବେଳେ ଆଜିର ସଂଖ୍ୟାକୁ ମିଶାଇ ମୋଟ ୩୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ମଧ୍ୟ ୩୧ଜଣ ପୁଲିସ କର୍ମୀ ଚିକିତ୍ସାଧୀନ ରହିଛନ୍ତି। କରୋନା ମହାମାରୀ କାଳରେ ପୁଲିସ କର୍ମଚାରୀଙ୍କ ମନୋବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଉଥିବା ପୁଲିସ କର୍ମଚାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପୁଷ୍ପ ବୃଷ୍ଟି ପୂର୍ବକ କରତାଳି ଦେଇ ସ୍ୱାଗତ କରାଯାଇଛି। ପରେ ଏସପି ଶ୍ରୀ ମହାନ୍ତ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରବି ନାରାୟଣ ସି, ଡ଼ିଆଇବି ଡିଏସପି ଶିବ ପ୍ରସାଦ ବିଶ୍ୱାଳଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।