ଜିଲ୍ଲା ପୁଲିସ ପକ୍ଷରୁ ‘ୱି ଫର ଚିଲଡ୍ରେନ’ ଆରମ୍ଭ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସୁରକ୍ଷିତ ଶୈଶବ ଏବଂ କିଶୋର ନ୍ୟାୟ ବ୍ୟବସ୍ଥାକୁ ଶିଶୁଙ୍କ ନିକଟରେ ପହଂଚାଇବା ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ‘ୱି ଫର ଚିଲଡ୍ରେନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେଥିପାଇଁ ଦେବଗଡ଼ ଆଦର୍ଶ ଥାନାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଳି ଦେଖା ଯାଇଥିଲା । ଶିଶୁଙ୍କ ମନରେ ଏହି ନୂତନ ଯୋଜନା କାର୍ଯ୍ୟକାରୀକୁ ନେଇ ଉତ୍ସାହ ଦେଖା ଦେଇଥିବାବେଳେ ପୁଲିସ ଅଧିକାରୀ ଓ କର୍ମଚାରୀ ମଧ୍ୟ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦେବଗଡ଼ ଆଦର୍ଶ ଥାନାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଶିଶୁ ମିତ୍ର ଥାନା ସରକାରୀ ଭାବେ ଘୋଷଣା କରାଯାଇଛି । ପରେ ଆଦର୍ଶ ଥାନା ପରିସରରେ ଏକ ସ୍ୱତନ୍ତ୍ର ବାତାନୁକୁଳିତ କୋଠରୀକୁ ସୁସଜ୍ଜିତ କରାଯାଇ ବିଭିନ୍ନ କ୍ରୀଡ଼ା ଉପକରଣ, ଟେଲିଭିଜନ ସେଟ ଓ ବିଭିନ୍ନ ଖେଳନାରେ ସଂଯୁକ୍ତ କରାଯାଇ ସ୍ୱତନ୍ତ୍ର ମହିଳା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲାର ଯେକୌଣସି ଶିଶୁ ଯେଭଳି ଶୋଷଣର ଶିକାର ନହେବେ ସେଥିପାଇଁ ସତ୍ୱନ୍ତ୍ର ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

‘ୱି ଫର ଚିଲଡ୍ରେନ’ କାର୍ଯ୍ୟକାରୀ ଅବସରରେ ଆଦର୍ଶ ଥାନାସ୍ଥିତ ଅଭ୍ୟର୍ଥନା କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧୀକ୍ଷକ ରାଜକିଶୋର ପାଇକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଇ ଶିଶୁ ଆଇନ, ପୁଲିସର କାର୍ଯ୍ୟଧାରା, ଟ୍ରାଫିକ ସଚେତନତା ଓ ପୁଲିସ ବ୍ୟବହାର କରୁଥିବା ଦୈନନ୍ଦିନ ବିଭିନ୍ନ ଉପକରଣ ସବୁ ଏସପି ଶ୍ରୀ ପାଇକରାୟ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ପ୍ରଦର୍ଶୀତ କରିଥିଲେ । ପୁଲିସର ଏହି କାର୍ଯ୍ୟକ୍ରମ ଶିଶୁଙ୍କୁ ପୁଲିସ ପ୍ରତି ଭୟମୁକ୍ତ କରିବା ସହ ଶିଶୁ ଆଇନ ସମ୍ପର୍କରେ ଶିଶୁମାନେ ସଚେତନ ହୋଇପାରିବେ ବୋଲି ଏସପି ରାଜକିଶୋର ପାଇକରାୟ ଆଶ ପ୍ରକାଶ କରିଥିଲେ । ପ୍ରଥମଥର ପାଇଁ ଥାନାରେ ପାଦ ଦେଇଥିବା ଛାତ୍ରଛାତ୍ରୀମାନେ ଥାନାକୁ ଆସି ପୁଲିସ ସମ୍ପର୍କରେ ବହୁ କିଛି ଜାଣିବାକୁ ପାଇଥିବା ପ୍ରକାଶ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତ୍ୟେକ ଶନିବାର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଥାନା ପରିଦର୍ଶନରେ ଆସି ଶିଶୁ ଆଇନ ସମ୍ପର୍କରେ ସଚେତନ ହେବାସହ ପୁଲିସ ମିତ୍ର ଥାନାର ପରିକଳ୍ପନା ବାସ୍ତବିକ ରୂପ ନେବେ ବୋଲି ଏସପି ଶ୍ରୀ ପାଇକରାୟ ପ୍ରକାଶ କରିଛନ୍ତି ।