ଅସରାଏ ବର୍ଷାପାଣିରେ ସ୍କୁଲ ଉବୁଟୁବୁ

ଖଜୁରିପଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ୍‌ ଅନ୍ତର୍ଗତ ଦଳପଡା ଠାରେ ୧୯୪୯ ମସିହାରେ ତିଆରି ହୋଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶେଣୀ ପର୍ଯ୍ୟନ୍ତ ଅଛି। ଏହି ସ୍କୁଲରେ ୧୦୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହା ଅତି ଅବ୍ୟବସ୍ଥାରେ ରହିଛି।ଅଳ୍ପ ବର୍ଷା ହେଲେ ସ୍କୁଲରେ ଭିତରେ ଆଣ୍ଠୁଏ ପାଣି ହୋଇଯାଏ, ଯାହାଫଳରେ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରି ପାରନ୍ତି ନାହିଁ। ସ୍କୁଲର ଚାରି ପାଖରେ ପାଚେରୀ ମଧ୍ୟ ନାହିଁ, ଯାହା ଫଳରେ ଅବାଧ ଲୋକମାନେ ସ୍କୁଲ ହତା ଭିତରକୁ ପଶି ଗାଈଗୋରୁ ଚରାଉଛନ୍ତି। ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି ଲେଖାଏ କ୍ଲାସ୍‌ର ପାଠ ପଢାଯାଉଛି। ଶିକ୍ଷକ ପଦବୀ ମଧ୍ୟ ଖାଲି ଅଛି।୮ଟି ଶ୍ରେଣୀକୁ ମାତ୍ର ୫ ଜଣ ଶିକ୍ଷକ ଅଛନ୍ତି। ସେଥିରୁ ଜଣେ ଶିକ୍ଷକ ଏହି ଜୁନ ମାସରେ ଅବସର ନେବେ ବୋଲି ପ୍ରଧାନ ଶିକ୍ଷକ ରମେଶ ଚରଣ ରଣା କହିଛନ୍ତି।

ଏହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସମସ୍ୟ ଅନେକ ଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଏହି ଗ୍ରାମର ପୂର୍ବତନ ଅବସରରେ ପ୍ରାପ୍ତ ଶିକ୍ଷକ ଉଦ୍ଧବ ବେହେରା, ପୂର୍ବତନ ରାଜସ୍ୱ ନିରୀକ୍ଷକ ଘାସିରାମ ବେହେରା, ଠାକୁର ବେହେରା, ପୂର୍ବତନ ୱାର୍ଡ ମେମ୍ବର ଜକ୍ଷ ବେହେରା, ପୂର୍ବତନ ସମିତିସଭ୍ୟ ଗୌର ଚରଣ ବେହେରା, ନାଏବ ସରପଞ୍ଚ କମ୍ଭୁ ପାଣି ବେହେରା, ସମାଜ ସେବୀ ପ୍ରଦୀପ ସାହୁ, ଶରତ ଜାନୀ, ରାନୁ ପ୍ରଧାନ ଦାବି କରିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକେଇବା ସହିତ ବ୍ଲକ ଆଗରେ ଧାରଣା ଦେବାକୁ ଟୁନା ବେହେରା, ପରମା ବେହେରା, ସୁବାସ ବେହେରା, ଭବାନୀ ବେହେରା, କିଶୋର ମଲ୍ଲିକ, ବରୁଣ ମଲ୍ଲିକ, ବିଶ୍ବମ୍ବର ମଲ୍ଲିକ ଚେତାବନୀ ଦେଇଛନ୍ତି।