ଫୁଲଫୁଟି ଗ୍ରାମରେ ପାନୀୟଜଳ ସମସ୍ୟା: ଗୁହାରି କରିବା ପାଇଁ ଆସିଥିଲେ, ନିରାଶ ହୋଇ ଫେରିଲେ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଫୁଲଫୁଟି ଗ୍ରାମରେ ଲାଗିରହିଛି ଉତ୍କଟ ପାନୀୟଜଳର ସମସ୍ୟା। ଗ୍ରାମରେ ୩ଟି ନଳକୂପ ଥିଲେ ମଧ୍ୟ ଅଚଳ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି। ସେହିଭଳି ସୋଲାର ପାଇପ ମଧ୍ୟ କାମ କରୁନାହିଁ। ଲୋକେ ନଦୀରେ ଚୁଆ ପାଣି ବ୍ୟବହାର କରୁଛନ୍ତି। ପାନୀୟଜଳ ସମସ୍ୟାର ସମାଧାନ କରିବା ଦାବି ନେଇ ଗୁହାରି ଜଣେଇବାକୁ ଆଜି ଗ୍ରାମବାସୀ ୫୦ କିଲୋମିଟର ଦୂର ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ କୋଭିଡ ଯୋଗୁଁ କାର୍ଯ୍ୟାଳୟର କୌଣସି କର୍ମକର୍ତ୍ତା ଦରଖାସ୍ତ ରଖିବାକୁ ମନା କରିଦେଇଥିଲେ। ଫଳରେ ୨ ଘଣ୍ଟା ଧରି ଖରାରେ କାର୍ଯ୍ୟାଳୟ ସମ୍ମୁଖରେ ଲୋକେ ବସି ରହିଥିଲେ।

ରାୟଗଡା ଜିଲ୍ଲାପାଳଙ୍କୁ ଫୋନ ଯୋଗେ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କୌଣସି ଅଧିକାରୀଙ୍କୁ ଦେଖା ନପାଇ ନିରାଶରେ ଫେରିଥିଲେ ଲୋକେ। ସବୁଠାରୁ ବଡ କଥା ଲୋକଙ୍କ ଅଭିଯୋଗ ଶୁଣିବାକୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ ବାହାରିଥିବା ଯୋଗୁଁ ସମଗ୍ର ଅଫିସଟିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେଣୁ କୌଣସି ଅଧିକାରୀ କାର୍ଯ୍ୟ ଯୋଗ ଦେଇନଥିବା ଜଣାଯାଇଛି।