କୋଭିସିଲ୍ଡ ଟିକାକରଣରେ ପରିବର୍ତ୍ତନ: ୧୨-୧୬ ସପ୍ତାହ ଭିତରେ ନେବେ ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ବୈଶୟିକ ପରାମର୍ଶଦାତା ସଂସ୍ଥା (ଏନଟିଏଜିଆଇ) ପକ୍ଷରୁ ଆଜି କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ସମୟ ସୀମାରେ ପରିବର୍ତ୍ତନ କରାଯାଇଛି। ପ୍ରଥମ ଡୋଜ୍ ଟିକା ନେବାର ୧୨-୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ କୁହାଯାଇଛି। ଏଥିସହିତ ଗର୍ଭବତୀ ମହିଳା ମାନେ କେଉଁ କୋଭିଡ-୧୯ ଟିକା ନେବେ ତାହା ସେ ଚୟନ କରିପାରିବେ ବୋଲି କୁହାଯାଇଛି।

ଅନ୍ୟପଟେ ଯେଉଁମାନେ କୋଭିଡ ସଂକ୍ରମିତ ହୋଇଛନ୍ତି ସେମାନେ ସୁସ୍ଥ ହେବାର ୬ ମାସ ପରେ କୋଭିଡ ଟିକା ନେଇପାରିବେ ବୋଲି ଏନଟିଏଜିଆଇ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜାତୀୟ କୋଭିଡ ଟିକା ବିଶେଷଜ୍ଞ ଟିମକୁ ସୂଚିତ କରାଯାଇଛି। ତେବେ କୋଭାକ୍ସିନ ଟିକାରେ କୌଣସି ପରିବର୍ତ୍ତନ ହୋଇନଥିବା କୁହାଯାଇଛି। ସିରିମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଅଭାବ ଯୋଗୁଁ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ କେତେକ ରାଜ୍ୟ ମଧ୍ୟ ୧୮-୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକା କରଣ ମଧ୍ୟ ବନ୍ଦ କରିଦେଇଛନ୍ତି। ତେବେ ସରକାର ଏହି ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେଇଛନ୍ତି।