ସଇଁନ୍ତଲା,ଏନ୍ଏନ୍ଏସ୍: ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜୀବଜଗତ ଅତିଷ୍ଠ ହୋଇ ପଡ଼ିଥିବାବେଳେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକର ଅନେକ ଗାଁରେ ପାନୀୟ ଜଳ ସ୍ୱପ୍ନ ପାଲଟିଛି । ଗ୍ରୀଷ୍ମ ତାପ ବଢ଼ିବା ସାଙ୍ଗକୁ ଜଳ ସମସ୍ୟା ମଧ୍ୟ ବଢ଼ି ଚାଲିଛି । ଏହି ବ୍ଲକର ଏମିତି କିଛି ଗାଁ ରହିଛି ଯେଉଁଠି ଏବେ ବି କିଛି ମହିଳା ନଦୀ କୂଳରୁ ପାଣି ସଂଗ୍ରହ କରି ଘରକୁ ଆଣୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଧରପଗଡ଼ ପଞ୍ଚାୟତ ଜାମଖୁଣ୍ଟା ଗାଁରେ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଜାମଖୁଣ୍ଟା ଗ୍ରାମରେ ୮ଶହରୁ ଅଧିକ ଲୋକେ ବସବାସ କରୁଛନ୍ତି । ସରକାରଙ୍କ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପେଣ୍ଡରାମାଲ ଗାଁ ଶେଷ ମୁଣ୍ଡରେ ପ୍ରକୋଷ୍ଠ ତିଆରି କରାଯାଇଛି କିନ୍ତୁ ଜାମଖୁଣ୍ଟାକୁ ଦୀର୍ଘ ଦିନରୁ ପିଇବା ପାଣି ବନ୍ଦ ହୋଇଯାଇଛି । ପ୍ରତ୍ୟେକ ଲୋକଙ୍କ ଘର ସମ୍ନାରେ ପାଇପ ବିଛାଇ ଦିଆଯାଇ ଥିବାବେଳେ ଏବେ ସେହି ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଗାଁମାନଙ୍କରେ ନଳକୂପ ରହିଥିବାବେଳେ ସେଥିରୁ ଦୂଷିତ ପାଣି ବାହାରୁଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେଥିପାଇଁ ଗାଁର ମହିଳାମାନେ ଶେଷ ମୁଣ୍ଡରେ ଥିବା ଦୀର୍ଘ ୨ କିଲୋମିଟର ନଦୀକୁ ଯାଇ ବାଲି ଚୁଆରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଗ୍ରାମବାସୀମାନେ ଅନେକ ଥର ବ୍ଲକ ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଚୁପ ରହିଛି । ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପଚାରିବାରୁ ଏସମ୍ପର୍କରେ ମୁଁ ଜାଣିନାହିଁ ତଦନ୍ତ କରି ବ୍ୟବସ୍ଥା କରିବି ବୋଲି କହିଛନ୍ତି । ତେବେ ଯଦି ଆଗାମୀ ୭ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।