ଚାଷୀଙ୍କ ଜମିକୁ ପହଞ୍ଚୁନି ପାଣି, ଅଭିଯୋଗ ପରେ ବି ନିଦା ବିଷ୍ପୁ ପାଲଟିଛି ବିଭାଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାଷୀଙ୍କ ଫସଲ ଯେପରି ଜଳାଭାବରେ ଉଜୁଡି ନଯିବ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଅନେକ ମେଗା ଲିପ୍ଟ ଇରିଗେସନ ପଏଣ୍ଟ ତିଆରି ହୋଇଛି। ସରକାରୀ ଖାତା କଲମରେ ଏହି ମେଗା ଲିପ୍ଟ ପଏଣ୍ଟ ଶହଶହ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରୁଥିବା ବେଳେ ପ୍ରକୃତରେ ଜିଲ୍ଲାର ଚାଷୀ କୂଳ ଏବେ ବି ଅବହେଳିତ ହୋଇରହିଛନ୍ତି। ଜିଲ୍ଲାରେ ମେଗା ଲିପ୍ଟ ପଏଣ୍ଟ ନିର୍ମାଣ ହୋଇଛି ସତ ହେଲେ ଚାଷୀଙ୍କ ଜମିରେ ପାଣି ପହଞ୍ଚି ପାରୁନାହିଁ।

ଏଭଳି ଅଭିଯୋଗ ଆଣିଛନ୍ତି ଝାରସୁଗୁଡ଼ା ବ୍ଲକ କୁରେବଗା ଗ୍ରାମର ଚାଷୀମାନେ। ଲିପ୍ଟ ପଏଣ୍ଟ ନିର୍ମାଣକୁ ଏକ ବର୍ଷ ପୁରିଥିଲେ ମଧ୍ୟ ଚାଷ ଜମିକୁ ବୁନ୍ଦାଏ ଜଳ ଆସୁନଥିବା ସେମାନେ କହିଛନ୍ତି। ସେମାନେ କହିଛନ୍ତି ୨୮ ଲକ୍ଷ ଟଙ୍କା ବିନିଯୋଗରେ ୨୫ ଜୁନ୍,୨୦୧୯ରେ ଏହି ମେଗା ଲିପ୍ଟ ପଏଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୧୦୪୨ ମିଟର ପାଇପ, ୧୦ଟି ଟାଙ୍କି, ୧୫ ଏଚପି ମୋଟର, ଟ୍ରାନ୍ସଫରମର ସଂଯୋଗ କରି ବିଭାଗୀୟ ଅଧିକାରୀମାନେ ଗ୍ରାମରେ ଜଳାଭାବ ଯୋଗୁଁ ଆଉ ଚାଷୀମାନେ ଦୁଃଖ ଭୋଗିବେ ନାହିଁ ବୋଲି ଡିଣ୍ଡିମ ପିଟିଥିଲେ। ମାତ୍ର ଏହି ପ୍ରୋଜେକ୍ଟକୁ ବର୍ଷେ ପୁରିଥିଲେ ମଧ୍ୟ ଜମିକୁ ଜଳ ସେଚିତ ହେଇପାରି ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଚଳିତ ବର୍ଷ ଗ୍ରାମରେ ବର୍ଷା ନା ମାତ୍ରାରେ ହୋଇଛି। ତେଣୁ ଗ୍ରାମର ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।

ଅନ୍ୟପଟେ ଉଠା ଜଳ ସେଚନ ବିଭାଗ ଝାରସୁଗୁଡ଼ା ସବ୍ ଡିଭିଜନର ସହକାରୀ ଯନ୍ତ୍ରୀ ସଚ୍ଚିଦାନନ୍ଦ ଦଳାଇଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଛନ୍ତି କୁରେବଗା ଗ୍ରାମରେ ୨୦ ହେକ୍ଟର ଜମିରେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ହେଲେ ସେ ସମୟରେ ଚାଷୀଙ୍କୁ ପାଣି ଆବଶ୍ୟକ ହୋଇନଥିବାରୁ ପମ୍ପ ଖୋଲା ହୋଇ ପାଣି ପଞ୍ଚାୟତ ପାଖରେ ରଖାଯାଇଛି। ଏବେ ସେମାନେ ଏହି ପ୍ରକଳ୍ପକୁ ସମ୍ପ୍ରସାରିତ କରି ଆଉ କିଛି ଜମିରେ ଜଳ ଯୋଗାଇ ଦେବା ପାଇଁ କହିଛନ୍ତି। ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶୀଘ୍ର ତାଙ୍କ ଜମିରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସହକାରୀ ଯନ୍ତ୍ରୀ କହିଛନ୍ତି।