ସ୍ୱେଚ୍ଛାକୃତ ଅବସର ଦୀର୍ଘ ବର୍ଷ ପରେ ମଧ୍ୟ ମିଳୁନି ପ୍ରାପ୍ୟ: ଆମରଣ ଅନଶନ ପାଇଁ ଚେତାବନୀ

ଦେବଗଡ଼,ଏନ୍ଏନ୍ଏସ୍: ଜଣେ ସରକାରୀ ବସ ଚାଳକ ସ୍ୱେଚ୍ଛାକୃତ ଅବସର ନେବାର ଦୀର୍ଘ ବର୍ଷ ହୋଇଥିଲେ ହେଁ ବକେୟା ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ ସମ୍ପର୍କରେ ସେ ବିଭିନ୍ନ ସ୍ତରରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଆସନ୍ତା ୫ ତାରିଖରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭବିଷ୍ୟନିଧି ଭବନ କାର୍ଯ୍ୟାଳୟ ସମ୍ମୁଖରେ ନିଜ ପତ୍ନୀଙ୍କ ସହ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ଆନ୍ଧ୍ରପ୍ରଦେଶ ବିଜୟନଗରମ ୟୁନିଟରେ ବସ ଚାଳକ ଭାବେ କାହ୍ନୁଚରଣ ଶତପଥି ତାଙ୍କ ପୁଅର ଆକସ୍ମିକ ମୃତ୍ୟୁ ହେବା ପରେ ଗତ ୨୦୧୪ରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ଅବସରର କିଛିଦିନ ପରେ ତାଙ୍କୁ ବିଭାଗ ପକ୍ଷରୁ ମାତ୍ର ୬୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ଭବିଷ୍ୟନିଧି ପାଣ୍ଠିରେ ତାଙ୍କ ଜମାଟଙ୍କା ସମେତ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ଏ ଯାଏଁ ମିଳିପାରି ନାହିଁ।

ଶ୍ରୀ ଶତପଥି ବହୁବାର ରାଜ୍ୟ ପରିବହନ ନିଗମ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ଭବିଷ୍ୟନିଧି କମିସନରଙ୍କ ନିକଟରେ ବହୁବାର ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଆସନ୍ତା ୫ ତାରିଖ ପୂର୍ବରୁ ସେମାନଙ୍କୁ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାନଗଲେ ଶତପଥି ଦମ୍ପତ୍ତି ଆଞ୍ଚଳିକ ଭବିଷ୍ୟନିଧି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।