ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଦେଉଳଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗାଁରେ ଘରର କାନ୍ଥ ଭୁଶୁଡି ଗୋଟିଏ ପରିବାରର ଜଣେ ମୃତ ଓ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲିଠାରୁ ପାଟଣାଗଡ଼ ଅଞ୍ଚଳରେ ଅନବରତ ବର୍ଷା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ଘୁନଘୁଟିପାଲି ଗାଁର ଶୋଭାବନ ବାରଲେଣ୍ଡିଆଙ୍କ ପରିବାର ଲୋକେ ରାତ୍ରିରେ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା।
ଫଳରେ କାନ୍ଥତଳେ ଚାପି ହୋଇ ଶୋଭାବନଙ୍କ ଝିଅ ଦୀପାର ମୃତ୍ୟୁ ହୋଇଛି। ସେହିପରି ଶୋଭାବନ, ତାଙ୍କ ସ୍ତ୍ରୀ ସତ୍ୟଭାମା ଓ ଦୁଇପୁଅ ଦୀପକ ଏବଂ ଟିରଚୁ ଗୁରୁତର ଆହତ ହୋଇ ପାଟଣାଗଡ଼ରେ ଚିକିତ୍ସିତ ହେଉଥିଲେ। ଗୁରୁତର ୨ ପୁଅ ଓ ସ୍ତ୍ରୀର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ଓ ଜୟନ୍ତ କୁମ୍ଭାର ଡାକ୍ତରଖାନାକୁ ଯାଇ ଗୁରୁତର ହୋଇଥିବା ପରିବାରଙ୍କୁ ଭେଟିଥିଲେ। ଏହି ସମୟର ସ୍ଥାନୀୟ ଲୋକମାନେ ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଥିଲେ। ପରେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଡାକ୍ତରଖାନାରେ ପହଞ୍ଚି ଉକ୍ତ ପରିବାରକୁ ରେଡ଼ କ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।