ଦେବଗଡ଼,ଏନ୍ଏନ୍ଏସ୍: ୭୪ତମ ପବିତ୍ର ସ୍ୱାଧୀନତା ଦିବସରେ ତିଳେଇବଣି ବ୍ଲକ ଅନ୍ତର୍ଗତ ପାଳକୁଦର ଗ୍ରାମ ପଞ୍ଚାୟତର ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପାଳକୁଦର ସରପଞ୍ଚ ଭବାନୀ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବ ଯୋଗଦେଇ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ବ୍ଲକ ଅଧ୍ୟକ୍ଷା ସୁବାସିନୀ ଦେହୁରୀ ଓ ସାଂସଦଙ୍କ ସହଧର୍ମିଣୀ ରାଣୀ ଅରୁନ୍ଧତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପାଳକୁଦର ପଞ୍ଚାୟତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସାଂସଦ ଶ୍ରୀ ଗଙ୍ଗଦେବ ବଦ୍ଧପରିକର ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ସୌଦାମିନୀ ପ୍ରଧାନ ଓ ନାଏବ ସରପଞ୍ଚ ପୁରୁଷୋତ୍ତମ ମାଝୀ ସକ୍ରିୟ ସହଯୋଗ କରିଥିଲେ।
ଗତ କିଛିଦିନ ଧରି ଦେବଗଡ଼ ଜିଲ୍ଲା ବିଜେପିର ସାଂସଦ ଶ୍ରୀ ଗଙ୍ଗଦେବ ଓ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଆରୋପ ପ୍ରତ୍ୟାରୋପ ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲା ବିଜେପିର ଫାଟକୁ ଜନସାଧାରଣରେ ସମାଲୋଚନା କରାଯାଇଥିଲା। ଏହି ଜାତୀୟ ପର୍ବ ଅବସରରେ ଉଭୟ ନେତା ଏକାଠି ଗୋଟିଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦଳୀୟ ଉଚ୍ଚ ପଦାଧିକାରୀ ଏବଂ ଜନସାଧାରଣଙ୍କୁ ସେମାନେ ଦଳୀୟ ଅନୁଶାସନରେ ରହିଥିବାର ବାର୍ତ୍ତା ଦେବାକୁ ଉଦ୍ୟମ କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି।