ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୫ମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଜି ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସ୍ଥାନୀୟ ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଟିକ୍ରାପଡ଼ା, ଦ୍ୱିତୀୟ ପର୍ଯ୍ୟାୟରେ ବେଳଗାଁ ଓ ତୃତୀୟ ପର୍ଯ୍ୟାୟରେ ସଇଁନ୍ତଲା ମଣ୍ଡଳ ରହିଥିବା ଜଣାପଡ଼ିଛି । ବ୍ଲକ କର୍ମଚାରୀଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିବାରୁ ବିଡିଓ ଶ୍ରୀଯୁକ୍ତ ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଆଜିଠାରୁ ସ୍ଥାନୀୟ କଲେଜ ପରିସରରେ ପୁଲିସ ପ୍ରଶାସନର ଉପସ୍ଥିତିରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ନାଗ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୫ମ ପର୍ଯ୍ୟାୟରେ ୨୭୨ଟି ବୁଥରେ ସମୁଦାୟ ୭୮.୩୮ ପ୍ରତିଶତ ମତଦାନ ହୋଇଛି । ସଇଁନ୍ତଲା ବ୍ଲକରେ ୭୭.୯୪ ପ୍ରତିଶତ ମତଦାତା ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଅନ୍ୟପଟେ ଭନ୍ଦ୍ରା ପଞ୍ଚାୟତରେ ସର୍ବାଧିକ ୯୫ ପ୍ରତିଶତ ଏବଂ ବୁଢ଼ାବାହାଲ ପଞ୍ଚାୟତରେ ସର୍ବନିମ୍ନ ୪୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି ।