ମାନବିକତା ଦେଖାଇ ଅସହାୟ ବୃଦ୍ଧଙ୍କ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ଦେବଗଡ଼,ଏନ୍‌ଏନ୍‌ଏସ୍ : ମାନବିକତା ଦେଖାଇଲେ ସ୍ୱେଚ୍ଛାସେବୀ । ସଡ଼କ ଦୁର୍ଘଟଣାରେ ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ରୀତିନୀତି ଅନୁସାରେ ସ୍ୱେଚ୍ଛାସେବୀ ଶବ ସତ୍କାର କରିଛନ୍ତି । ଏଥିସହିତ ଖଇ କଉଡ଼ିଠୁ ଯାବତୀୟ ସରଞ୍ଜାମ ସ୍ୱତଃପ୍ରବୃତ ମୁଖ୍ୟ ବଜାର ଛକର ବ୍ୟବସାୟୀ ବୃନ୍ଦ ଯୋଗାଇ ଦେଇଥିଲେ ।

ମିଳିଥିବା ରିପୋର୍ଟ ମୁତାବକ, ଗତ ବୁଧବାର ରାତିରେ ପୌରାଞ୍ଚଳ ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସୀନ୍ଦା କୁତାର୍ଥ ବେହେରା ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । କୁତାର୍ଥ ସହରର ମୁଖ୍ୟ ବଜାରରେ ଥିବା ପ୍ରାୟ ଅନେକ ଦୋକାନୀଙ୍କ ପାଇଁ ଜଳ ଯୋଗାଣ ଭଳି କାର୍ଯ୍ୟ କରୁଥିବାବେଳେ ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ଜନସାଧାରଣଙ୍କ ମଧ୍ୟରେ ପରିଚିତ ଥିଲେ । ବୃକ୍ଷ ରୋପଣର ନିଶା କତାର୍ଥକୁ ଅନ୍ୟ ଏକ ପରିଚୟ ଦେଇଥିଲା । ତେବେ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ମୁଖ୍ୟ ବଜାର ଛକରେ ଥିବା ଅନେକ ବ୍ୟବସାୟୀ କୃତାର୍ଥଙ୍କ ମୃତଦେହକୁ ବୁର୍ଲା ଡାକ୍ତରଖାନାରୁ ଏକ ଗାଡ଼ିରେ ଦେବଗଡ଼ ଆଣିଥିଲେ । ପରେ ବଜାର ଛକରୁ ପ୍ରଧାନପାଟସ୍ଥିତ ସ୍ୱର୍ଗଦ୍ୱାରକୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା କରିଥିଲେ ।