ଜନ୍ମଦିନରେ ଶରୀର ଦାନ କଲେ ସ୍ୱେଚ୍ଛାସେବୀ ଅଜୟ

ବଲାଙ୍ଗିର,ଏନ୍ଏନ୍ଏସ୍: ସାଧାରଣତଃ ଜନ୍ମଦିନରେ ଲୋକେ ଗୁରୁଜନଙ୍କ ଆଶୀର୍ବାଦ ନେଇ ମନ୍ଦିର ଯାଇ ଶୁଭ ମନାସି ଥାଆନ୍ତି। କିନ୍ତୁ ଜଣେ ସମାଜସେବୀର ଜନ୍ମ ଦିନ କିଛି ଅଲଗା। ସେମାନେ ତାଙ୍କର ଜନ୍ମଦିନ ପ୍ରାୟତଃ ଦୁଃଖୀ ଦରିଦ୍ରଙ୍କ ସେବା କରି ବିତାନ୍ତି। କରୋନାର କରାଳ କାଳରେ ଏଭଳି ଏକ ନିଆରା ଜନ୍ମ ଦିନ ଦେଖିବାକୁ ମିଳିଛି। ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଅଜୟ ନାଗ ନିଜ ଜନ୍ମ ଦିନରେ ଭୀମଭୋଇ ମେଡିକାଲକୁ ଯାଇ ଶରୀର ଦାନ କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଜନ୍ମ ଦିନରେ ସକାଳୁ ଅଜୟ ବାବା ସାହେବଙ୍କ ଆଶୀର୍ବାଦ ନେବା ପରେ ସିଧା ଛୁଟିଥିଲେ ଭୀମଭୋଇ ମେଡିକାଲ କଲେଜକୁ। ସେଠାରେ ଆସିଷ୍ଟାଣ୍ଟ ପ୍ରଫେସର ଡ. ମନୋଜ ଦେହୁରୀଙ୍କ ସହିତ ଦେଖା କରି ଶରୀର ଦାନର ପ୍ରକ୍ରିୟା ବୁଝିଥିଲେ। ଡ. ଦେହୁରୀଙ୍କ କହିବା ମତେ ଏକ ସତ୍ୟପାଠ ଦାଖଲ କରି ମୃତ୍ୟୁ ପରେ ଭୀମଭୋଇ ମେଡିକାଲକୁ ନିଜ ଶରୀରକୁ ଦାନ କରିଥିଲେ। ଜୀବନ ଥିବା ଯାଏଁ ଜନସାଧାରଣଙ୍କ ସେବା କରିବି। ମୁଁ ମରି ଗଲେ ମୋର ମୃତ ଶରୀର ଡାକ୍ତରୀ ବିଦ୍ୟା ଅଧ୍ୟୟନରେ କାମରେ ଆସିବ।

ଏହି ମହାମାରୀ ସମୟରେ ଡାକ୍ତରମାନେ ଭଗବାନ ସ୍ୱରୂପ ସମସ୍ତଙ୍କୁ ସେବା ଦେଇ ଜୀବନ ବିତାଉଛନ୍ତି। ଶରୀର ଦାନ ଦ୍ୱାରା ସେମାନଙ୍କ କିଛି ଋଣ ପରିଶୋଧ ହୋଇ ପାରିବ ବୋଲି ଅଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଖବର ପ୍ରକାଶିତ ହେବା ପରେ ସହରର ବିଭିନ୍ନ ମହଲରୁ ଅଜୟଙ୍କୁ ସାଧୁବାଦର ସୁଅ ଛୁଟୁଛି।