ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦର କ୍ରମ ପରିଣତି ଯାହା ହେବ ବୋଲି ଆଶା କରାଯାଉଥିଲା ତାହା ହିଁ ପରିଲକ୍ଷିତ ହୋଇଛି। ଗତ ସୋମବାର ଆଲାପନ୍ ଚାକିରୀରୁ ଅବସର ନେଇଥିଲାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ବର୍ଷ ପାଇଁ ନିଜର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି ଦେବାର ଦିନକ ପରେ କେନ୍ଦ୍ର ସରକାର ଆଲାପନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

କାରଣ ୧୯୮୭ ବ୍ୟାଚ୍‌ର ଆଇଏଏସ୍ ଆଲାପନ୍‌ଙ୍କୁ ଏଥିପୂର୍ବରୁ କେନ୍ଦ୍ର ନିଯୁକ୍ତି, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟରେ ସୋମବାର ପୂର୍ବାହ୍ଣ ୧୦ଟାରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଏହାର ଅବମାନନା କରିଥିବାରୁ ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଧାରା-୫୧ ଅନୁଯାୟୀ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଯଥାର୍ଥ କାରଣ ନଦର୍ଶାଇ କେନ୍ଦ୍ରର ନିର୍ଦ୍ଦେଶକୁ ଅବଜ୍ଞା କଲେ ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ନରହି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଲାପନ୍ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ସେଠାରୁ ଚାଲିଯିବାରୁ ଏହା ମଧ୍ୟ ଏହି ଆଇନ ଅନୁଯାୟୀ ଏକ ଫୌଜଦାରୀ ଅପରାଧ। ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନ୍‌ଡିଏମ୍‌ଏ)ର ଅଧ୍ୟକ୍ଷ ହୋଇଥିବାରୁ ଏଥିରେ ମୁଖ୍ୟ ଶାସନ ସଚିବ ଯୋଗଦେବା ଜରୁରୀ ହୋଇଥିଲେ ମଧ୍ୟ ସେ ତା’ର ଅବମାନନା କରିଥିଲେ। ଏହାଛଡ଼ା ବିପର୍ଯ୍ୟୟ ପରିଚାଳନା ଆଇନ୍‌ର ଧାରା-୫୬ର ମଧ୍ୟ ଆଲାପନ୍ ଉଲ୍ଲଂଘନ କରିଛନ୍ତି। ଏହି କାରଣ ଦର୍ଶାଅ ନୋଟିସ୍‌ର ଜବାବ ୩ଦିନ ମଧ୍ୟରେ ଦେବାକୁ ତାଙ୍କୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।