ବୀରେଶ କୁମାର ଭାୱରା ହେଲେ ପଞ୍ଜାବର ନୂଅ ଡିଜିପି

ନୂଆଦିଲ୍ଲୀ: ପଞ୍ଜାବର ନୂଆ ଡିଜିପି ଭାବେ ବୀରେଶ କୁମାର ଭାୱରାଙ୍କୁ ନିଯୁକ୍ତ କରାଯାଇଛି। ୟୁପିଏସସି ସୁପାରିସ କରିଥିବା ୩ ବରିଷ୍ଠ ଆଇପିଏସଙ୍କ ମଧ୍ୟରୁ ଭାୱରାଙ୍କୁ ଏହି ଦାୟିତ୍ୱ ମିଳିଛି। ଭାୱରା ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ନିର୍ବାଚନ ତାରିଖ ଘୋଷଣା ହେବାର କିଛି ସମୟ ପୂର୍ବରୁ ଭାୱରାଙ୍କ ନାଁରେ ମୋହର ଲଗାଇଛନ୍ତି। ଚନ୍ନୀ ସରକାର ଆନୁଷ୍ଠାନିକ ରୂପେ ଭାୱରାଙ୍କ ନାଁକୁ ଘୋଷଣା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଅବହେଳା ଦେଖାଯାଇଥିଲା। ସେଥିପାଇଁ ବର୍ତ୍ତମାନର ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଡିଜିପି ପଦରୁ ବହିଷ୍କାର କରାଯାଇଛି। ପ୍ରୋଟୋକଲ ଅନୁସାରେ ରାଜ୍ୟର ଡିଜିପି ଓ ମୁଖ୍ୟ ସଚିବ ପ୍ରଧାନମନ୍ତ୍ରୀ ଗାଡ଼ି ସହ ରହିବା ନିହାତି ଦରକାର। କିନ୍ତୁ ଏହି ୨ ଅଧିକାରୀ ସେହି ସମୟରେ ଗାଡ଼ିରେ ନଥିଲେ। କେବଳ ଏତିକି ନୁହେଁ ରାସ୍ତା ଫାଙ୍କା ଥିବା ନେଇ ଡିଜିପିଙ୍କ ତରଫରୁ ସବୁଜ ସଙ୍କେତ ମିଳିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାରେ ବାହାରିଥିଲେ। କିନ୍ତୁ ଉକ୍ତ ସଡ଼କକୁ ବିରୋଧ ପ୍ରଦର୍ଶନ କରୁଥିବା କୃଷକ ଘେରି ରଖିଥିଲେ।