୫ଟି ରାଜ୍ୟରେ ଫେବୃଆରୀ ୧୦ରେ ଭୋଟ, ମାର୍ଚ୍ଚ ୧୦ରେ ଫଳାଫଳ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ୫ଟି ରାଜ୍ୟରେ ୭ଟି ପର୍ୟ୍ୟାୟରେ ହେବ। ଏନେଇ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହି କ୍ରମରେ ୟୁପିରେ ଫେବୃଆରୀ ୧୦ ତାରିଖରେ ପ୍ରଥମ, ୧୪ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଓ ମାର୍ଚ୍ଚ ୭ ସପ୍ତମ ପର୍ୟ୍ୟାୟରେ ମତଦାନ ହେବ। ସେହିପରି ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଏକାସହ ଫେବୃଆରୀ୧୪ରେ ମତଦାନ ହେବ। ମଣିପୁରରେ ୨ଟି ପର୍ୟ୍ୟାୟରେ ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ମତଦାନ ହେବ ବୋଲି ଜଣାପଡ଼ିଛି। ସମସ୍ତ ରାଜ୍ୟର ଭୋଟ ଗଣତି ମାର୍ଚ୍ଚ ୧୦ ତାରିଖରେ ହେବ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା କାଳରେ ସୁରକ୍ଷିତ ନିର୍ବାଚନ କରିବା ପାଇଁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ସେଥିପାଇଁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ସବୁକିଛି ସ୍ଥିର କରାଯାଇଛି। ଓମିକ୍ରନ୍ ଭ୍ୟାରିଆଣ୍ଟର ଭୟାବହତାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୫ ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାରକୁ ସ୍ଥଗିତ ରଖାଯାଇଛି। ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସୁଯୋଗ ଦିଆଯିବ। ଦାଗୀ ପ୍ରାର୍ଥୀଙ୍କୁ ଖବରକାଗଜ କିମ୍ବା ଅନ୍ୟ ମାଧ୍ୟମ ଜରିଆରେ ନିଜ ଅପରାଧିକ ରେକର୍ଡର ସୂଚନା ଦେବାକୁ ପଡ଼ିବ। ବିଭିନ୍ନ ରାଜନୈତିକ ପାର୍ଟିକୁ ମଧ୍ୟ ନିଜ ୱେବସାଇଟରେ ଏହି ରେକର୍ଡକୁ ଅପଲୋଡ କରିବାକୁ ପଡ଼ିବ। ଏହା ପଛର କାରଣ ମଧ୍ୟ ସେମାନଙ୍କୁ କହିବାକୁ ପଡ଼ିବ।