ନୂଆଦିଲ୍ଲୀ: ସାଉଥ ଆଫ୍ରିକା ଗସ୍ତକୁ ନେଇ ଲାଗି ରହିଥିବା ଗୁଜବ ଉପରେ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲୀ ବିରାମ ଲଗାଇଛନ୍ତି। କୋହଲୀ କହିଛନ୍ତି ଯେ, ସାଉଥ ଆଫ୍ରିକା ବିରୋଧରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ସେ ବିସିସିଆଇକୁ କୌଣସି ପ୍ରକାର ଛୁଟି ମାଗି ନାହାନ୍ତି।
ସେହିପରି ରୋହିତ ଶର୍ମା ଦିନିକିଆ ଟିମର ଅଧିନାୟକ ହେବା ନେଇ ତାଙ୍କୁ ଜଣାଯାଇଥିବା ସୌରଭ ଗାଙ୍ଗୁଲୀଙ୍କ ଦାବିକୁ ମଧ୍ୟ କୋହଲୀ ଖଣ୍ଡନ କରିଛନ୍ତି। ଆଉ ଏନେଇ ବିସିସିଆଇ ସହ ତାଙ୍କର କୌଣସି ଆଲୋଚନା ହୋଇନଥିବା କୋହଲୀ କହିଛନ୍ତି। ଅନ୍ୟପଟେ ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ପ୍ରକାର ମନମାଳିନ୍ୟ ନଥିବା ମଧ୍ୟ କୋହଲୀ ସ୍ପଷ୍ଟ କରିଛନ୍ତି। ଏଥିସହିତ ସାଉଥ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ରୋହିତଙ୍କ ଅନୁପସ୍ଥିତି ଟିମ୍ ଅନୁଭବ କରିବ ବୋଲି କୋହଲୀ କହିଛନ୍ତି।
ଏହାପୂର୍ବରୁ ଏକ ଇଣ୍ଟରଭ୍ୟୁରେ ବିରାଟ କୋହଲୀଙ୍କ ସହ ନିଜର ସମ୍ପର୍କ ସୁଦୃଢ଼ ଥିବା ରୋହିତ ଶର୍ମା ପ୍ରକାଶ କରିଥିଲେ। ଗତ କିଛି ଦିନ ହେବ ବିରାଟ ଓ ରୋହିତଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ମିଡିଆ ରିପୋର୍ଟସ ଦାବି କରିଥିଲା।